ଭୁବନେଶ୍ୱର( ୦୬/୦୭ , ପିପିଏଲ୍ ନ୍ୟୁଜ୍ ) ପୂର୍ବତନ ନେତା ତଥା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ବିୟୋଗରେ ମୁଖ୍ୟ ମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ଦାସ ଜଣେ ଲୋକପ୍ରିୟ ରାଜନେତା, ଦକ୍ଷ ସଂଗଠକ ଓ ପ୍ରଶାସକ ଥିଲେ। ମନ୍ତ୍ରୀ, ସାଂସଦ ତଥା ବିଧାୟକ ଭାବରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସେ ତାଙ୍କର ଅବଦାନ ରଖିଯାଇଛନ୍ତି। ବିଶେଷକରି ଜଗତସିଂହପୁର ଅଞ୍ଚଳର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି। ଦଳିତ ଓ ସମାଜର ଅବହେଳିତ ବର୍ଗର ଲୋକମାନଙ୍କ କଲ୍ୟାଣ ପାଇଁ ସେ ସାରା ଜୀବନ ଉତ୍ସର୍ଗୀକୃତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଜୁ ଜନତା ଦଳର ଜଣେ ବରିଷ୍ଠ ନେତା ଭାବରେ ଦଳର ସାଙ୍ଗଠନିକ ଶକ୍ତିକୁ ମଜବୁତ କରିବା କ୍ଷେତ୍ରରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ତାଙ୍କର ଅମାୟିକ ସ୍ଵଭାବ ପାଇଁ ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ର ପ୍ରିୟପାତ୍ର ହୋଇ ପାରିଥିଲେ ବୋଲି ସେ କହିଛନ୍ତି। ପରଲୋକରେ ଆତ୍ମାର ସଦଗତି କାମନା କରିବା ସହ ମୁଖ୍ୟମନ୍ତ୍ରୀ ସୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
