ଡାଲା ଅଟୋ ଧକ୍କାରେ ବାଇକ ଚାଳକ ଙ୍କ ମୃତ୍ୟୁ,ମହିଳା ଗୁରୁତର

ଦିଗପହଣ୍ଡି ( ୨୨/୧୧,ପିପିଏଲ୍ ନ୍ୟୁଜ୍ ) : ଦିଗପହଣ୍ଡି ଥାନା ଅଧୀନସ୍ଥ ପଦ୍ମନାଭପୁୁର- ଓଡାସିଙ୍ଗି ମଧ୍ୟରେ ରହିଥିବା ଉଜ୍ଜଳେଶ୍ବର ରାଇସ୍ ମିଲ ନିକଟରେ ରବିବାର ମଧ୍ୟାହ୍ନରେ ଏକ ଡାଲାଅଟୋ ଧକ୍କାରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଥିବା ବେଳେ ସମ୍ପର୍କୀୟ ମହିଳା ଜଣଙ୍କ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତ ଜଣକ ଦିଗପହଣ୍ଡି ବ୍ଲକ କଇଠଡା ଗ୍ରାମର ଧର୍ମେନ୍ଦ୍ର ରେଡ୍ଡୀ (୨୮) ଓ ଗୁରୁତର ମହିଳା ହେଲେ କୁନ୍ଦ ରେଡ୍ଡୀ (୪୦) ବୋଲି ଜଣାପଡିଛି । ଖବରନୁଯାୟୀ , ରବିବାର ମଧ୍ୟାହ୍ନରେ ଧର୍ମେନ୍ଦ୍ର ଓ ତାଙ୍କ ସମ୍ପର୍କୀୟ ମହିଳା ଜଣକ ନିଜ ବାଇକ ( ଓଡି୦୭ ୱାଇ ୨୪୦୬) ଯୋଗେ ରାସନ୍ ସାମଗ୍ରୀ ଆଣିବା ନିମନ୍ତେ ଦିଗପହଣ୍ଡି ଆସୁଥିବା ସମୟରେ ନୂଆପଡ଼ା ଗ୍ରାମର ଲାଇଟ୍ ଏଣ୍ଡ ସାଉଣ୍ଡର ଡାଲା ଅଟୋର ମଦ୍ୟପ ଚାଳକ ବିପରୀତ ଦିଗରୁ ଦ୍ରୁତଗତିରେ ଆସି ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଗ୍ରାମବାସୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ତେବେ ଉପସ୍ଥିତ ଡାକ୍ତର ଧର୍ମେନ୍ଦ୍ରଙ୍କୁ ମୃତ ଘୋଷିତ କରିଥିବା ବେଳେ ଗୁରୁତର ମହିଳାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ଡାଲା ଅଟୋ ଚାଳକକୁ ଗ୍ରାମବାସୀ କାବୁ କରି ଦିଗପହଣ୍ଡି ପୋଲିସକୁ ଜିମା ଦେଇଥିଲେ । ଏନେଇ ଦିଗପହଣ୍ଡି ପୋଲିସ ଦୁର୍ଘଟଣା ସ୍ଥଳରୁ ଉଭୟ ଗାଡ଼ିକୁ ମୃତଦେହକୁ ଜବତ କରିଥିବା ବେଳେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଶବଗୃହକୁ ପଠାଇଥିବା ଜଣାପଡିଛି । ତେବେ ଏହି ଦୁଃଖଦାୟକ ଘଟଣା ସମୟରେ ସ୍ଥାନୀୟ ସରପଞ୍ଚ ଭୀମସେନ ସାହୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ବ୍ୟବଚ୍ଛେଦକୁ ପଠାଇବାରେ ସହଯୋଗ ପ୍ରଦାନ କରିଥିବା ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଥିବା ଜଣାପଡ଼ିଛି ।

ରିପୋର୍ଟ – ଶଙ୍କର ସ୍ୱାଇଁ

Leave a Reply

Your email address will not be published. Required fields are marked *