ଭୁବନେଶ୍ୱର (୨୩/୦୬, ପିପିଏଲ୍ ନ୍ୟୁଜ୍ ): ଅଭିନେତ୍ରୀ ଦୀପା ସାହୁଙ୍କୁ ଡାକ୍ତରଖାନାରେ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଛନ୍ତି ଯାତ୍ରା ଜଗତର ଆଇଟମ୍ ଗର୍ଲ ରାନୀ ପଣ୍ଡା। ଗତ ଶନିବାର ଦିନ ଦୀପାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଯାଇଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଦୀପା ପ୍ରାୟ ବର୍ଷେ ହେବ ଜରାୟୁ କର୍କଟରେ ପୀଡ଼ିତ ଅଛନ୍ତି। ତାଙ୍କର ଚିକିତ୍ସା ଚାଲିଥିଲା। କେମୋ ଥେରାପି ଚାଲିଥିଲା। ହେଲେ ତିନିରୁ ଚାରି ମାସ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା। ଅବସ୍ଥା ଅଧିକ ବିଗିଡ଼ିବାରୁ ଶନିବାର ଅଭିନେତା ଅଖିଳ ପଟ୍ଟନାୟକ ଓ ସମାଜସେବୀ ପ୍ରଶାନ୍ତ ନାୟକ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ଦୀପାଙ୍କ ଚିକିତ୍ସା ଚାଲିଥିବା ବେଳେ ନିକଟରେ ରାନୀ ପଣ୍ଡା ତାଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି। ଏହାର ଫଟୋ ରାନୀଙ୍କର ଏକ ଫ୍ୟାନ୍ ପେଜ୍ରୁ ଶେଆର କରାଯାଇଛି। ଏଥିରେ ସେ ଦୀପାଙ୍କ ସହ ଏକ ସେଲ୍ଫି ନେଇଛନ୍ତି। ହସ୍ପିଟାଲ୍ ବେଡ୍ରେ ଦୀପା ଶୋଇଥିବା ବେଳେ ତାଙ୍କଠୁ ଟିକେ ଦୂରରେ ରହି ରାନୀ ସେଲଫି ନେଇଥିବାର ଦେଖିବାକୁ ମିଳିଛି। ରାନୀ ତାଙ୍କୁ କିଛି ଆର୍ଥିକ ସହାୟତା ମଧ୍ୟ କରିଥିବା ଜଣାପଡ଼ିଛି।
