ବିଜୁ ଜନତା ଦଳ ବିଧାୟକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବୋଧନ


ଭୁବନେଶ୍ୱର (୩୦/୦୮ , ପିପିଏଲ୍ ନ୍ୟୁଜ୍ ) : କରୋନା ସଂକ୍ରମଣରେ ଭାରତ ଆଜି ସାରା ବିଶ୍ବରେ ସବୁଠାରୁ ଉପରେ ଅଛି। ଆମ ଦେଶରେ ପ୍ରତି ଦୁଇ ଦିନରେ ଏକ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି । ଆମ ରାଜ୍ୟ ଓଡିଶା ମଧ୍ୟ କରୋନାର କଡା ମୁକାବିଲା କରୁଛି। ଆମର କୋଭିଡ ଯୋଦ୍ଧାମାନଙ୍କର ତ୍ୟାଗ ଓ ପରିଶ୍ରମ ଏବଂ ଆପଣମାନଙ୍କ ସହଯୋଗ ଯୋଗୁ ରାଜ୍ୟରେ ଆରୋଗ୍ୟ ହାର ବଢୁଛି ଓ ମୃତ୍ୟୁ ହାର ସବୁଠାରୁ କମ୍‌ ଅଛି।
ମୋର ଅନୁରୋଧ, ଏହି ସଂକଟ ସମୟରେ ଆପଣମାନେ ଲୋକଙ୍କ ସାଥିରେ ରୁହନ୍ତୁ । ଆମର କୋଭିଡ ଯୋଦ୍ଧା ମାନଙ୍କ ସାଥିରେ ରୁହନ୍ତୁ । ସେମାନଙ୍କ କାମକୁ ପ୍ରଶଂସା କରନ୍ତୁ । ସେମାନଙ୍କ ସୁଖ ଦୁଃଖରେ ସାମିଲ ହୁଅନ୍ତୁ । ମୃତ କୋଭିଡ ରୋଗୀଙ୍କ ଶବ ସଂସ୍କାର କ୍ଷେତ୍ରରେ କେତେକ ଅସୁବିଧା ହେଉଛି । ଏଥିପାଇଁ ଆପଣ ଲୋକଙ୍କୁ ବୁଝାନ୍ତୁ ଏବଂ ମୃତ ଦେହ ସଂସ୍କାରରେ ସହଯୋଗ କରନ୍ତୁ ।
ଆପଣମାନେ ଜାଣି ଖୁସି ହେବେ ଯେ ଆଜିଠାରୁ ଗଞ୍ଜାମରେ ୫ଟି କୋଭିଡ ଗୃହ ବନ୍ଦ କରାଗଲା । ସେଠାରେ ପରିସ୍ଥିତିରେ ଉନ୍ନତି ଆସିଛି। କିନ୍ତୁ ଖୋର୍ଦ୍ଧା ଓ କଟକରେ ପରିଚାଳନା କରିବା ପାଇଁ ଆମକୁ ଅଧିକ ପରିଶ୍ରମ କରିବାକୁ ହେବ।
କୋଭିଡ ଯୋଗୁ ଅନ୍ୟ ରାଜ୍ୟରେ ଥିବା ଆମର ୧୦ ଲକ୍ଷ ଭାଇଭଉଣୀ ଓଡିଶା ଫେରିଛନ୍ତି । ସେମାନଙ୍କ ମଧ୍ୟରୁ କେହି ବି ଯୋଗ୍ୟ ଲୋକ ଯେପରି ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହେବ ନାହିଁ, ସେଥିପ୍ରତି ଆପଣ ଧ୍ୟାନ ଦିଅନ୍ତୁ ।
କୋଭିଡ ଏବଂ ବନ୍ୟା ପରିସ୍ଥିତିରେ ପିଲାଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି NEET ଓ JEE ପରୀକ୍ଷା ଘୁଞ୍ଚାଇବା ପାଇଁ ମୁଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲି । କିନ୍ତୁ ହେଲା ନାହିଁ। ବର୍ତ୍ତମାନ ଆମ ପାଖରେ 48ଘଣ୍ଟାରୁ କମ୍‌ ସମୟ ରହିଛି । ପିଲାମାନେ ଆମ ଦେଶର ଭବିଷ୍ୟତ ଓଡ଼ିଶା ର ଭବିଷ୍ୟତ ।ସେମାନେ ଆମ ପରିବାର ର ଓ ସେମାନଙ୍କ ସୁରକ୍ଷା ଆମ ଦାୟିତ୍ବ । ତେଣୁ ପିଲାମାନେ ଯେପରି ଭଲରେ ଭଲରେ ପରୀକ୍ଷା ଦେବେ, ସେଥିପାଇଁ ରାଜ୍ୟ ସରକାର ମାଗଣାରେ ପରିବହନ ଓ ରହିବାର ବ୍ୟବସ୍ଥା କରିଛନ୍ତି। ଆପଣଙ୍କ ଅଞ୍ଚଳର ପିଲାମାନେ ଯେପରି ସୁବିଧାରେ ପରୀକ୍ଷା ଦେବେ, ସେଥିରେ ଆପଣ ପୁରା ସହଯୋଗ କରନ୍ତୁ।
ମୁଁ ସବୁବେଳେ କହି ଆସିଛି ଯେ, ସାଢେ ଚାରି କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ସେମାନଙ୍କ କଲ୍ୟାଣ ଆମ ଦାୟିତ୍ବ ।

Leave a Reply

Your email address will not be published. Required fields are marked *