ଭୁବନେଶ୍ୱର(୧୬/୦୬, ପିପିଏଲ୍ ନ୍ୟୁଜ୍) ଲଦାଖ ଗଲୱାନ ଭ୍ୟାଲିରେ ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣାକୁ ନେଇ ଏବେ ବଡ଼ ଖବର ସାମ୍ନାକୁ ଆସିଛି। ଅତିକମ୍ରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ସୂଚନା ମିଳିଛି। ଭାରତୀୟ ଯବାନଙ୍କ ସହିଦ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ୨୦ ଯବାନ ସହିଦ ନେଇ ଭାରତୀୟ ସୂତ୍ରରୁ ସୂଚନା ମିଳିଛି। ଚୀନ୍ ପକ୍ଷରୁ ୪୩ ଜଣ ମୃତାହତ ହୋଇଥିବା ସୂଚନା ରହିଛି।
ଗତକାଲି ଉଭୟ ଦେଶର ସୈନ୍ୟ ଲଦାଖ୍ର ଗଲଓ୍ୱାନ୍ରେ ମୁହାଁମୁହିଁ ହୋଇଥିଲେ। ଟେକାପଥର ମାଡ଼ ସଙ୍ଗକୁ ପରସ୍ପରକୁ ଲୁହା ରଡ୍ରେ ଆକ୍ରମଣ କରିଥିଲେ। ଏଥିରେ ୩ ଭାରତୀୟ ଯବାନ ସହିଦ ହୋଇଥିବାବେଳେ ୫ ଚୀନ୍ ସୈନ୍ୟଙ୍କ ମୃତ୍ୟୁ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଏବଂ ତିନି ବାହିନୀ ମୁଖ୍ୟଙ୍କ ସହ ଜରୁରୀ ବୈଠକ କରି ପ୍ରଧାନମନ୍ତ୍ରୀଙ୍କୁ ବି ଘଟଣା ସଂପର୍କରେ ଅବଗତ କରାଇଛନ୍ତି।
ଅନ୍ୟପକ୍ଷରେ ଘଟଣାକୁ ନେଇ ଚୀନ୍ ଓଲଟା ଭାରତ ଉପରେ ଦୋଷ ଲଦିଛି। ସେପଟେ ଭାରତ ଚୀନ ସୀମା ସଂଘର୍ଷରେ ସହିଦ ହୋଇଥିବା ୩ ଭାରତୀୟ ଯବାନଙ୍କ ପରିଚୟ ମିଳିଛି। ବିହାର ରେଜିମେଣ୍ଟର କର୍ଣ୍ଣେଲ ବି. ସନ୍ତୋଷ ବାବୁ ସହିଦ ହୋଇଛନ୍ତି। ଏହାକୁ ନେଇ ତେଲେଙ୍ଗାନା ସୂର୍ଯ୍ୟାପେଟାରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ସେପଟେ ତାମିଲନାଡୁର ହାବିଲଦାର ପାଲାନି ଓ ଝାଡ଼ଖଣ୍ଡର ସିପାହୀ କୁନ୍ଦନ ଓଝା ସହିଦ ହୋଇଛନ୍ତି।
ଗଲଓ୍ୱାନ ଉପତ୍ୟକାରେ ଭାରତୀୟ-ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷକୁ ନେଇ ପ୍ରତିକ୍ରିୟା ରଖିଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ପୂର୍ବ ଲଦାଖ ସୀମା ଅଞ୍ଚଳରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ ଲାଗି ଭାରତ ଓ ଚୀନ୍ ଉଭୟ ସାମରିକ ଏବଂ କୂଟନୈତିକ ସ୍ତରରେ ଆଲୋଚନା ଜାରି ରଖିଛନ୍ତି।
ଗତକାଲି ରାତିରେ ଚୀନ୍ ସେନା ଏକପାଖିଆ ଭାବେ ପ୍ରକୃତ ନିୟନ୍ତ୍ରଣ ରେଖା-LACର ଯଥା ସ୍ଥିତିକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲା। ଏହାକୁ ଭାରତୀୟ ସେନା ତୀବ୍ର ବିରୋଧ କରିବାରୁ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ପରେ ଏହା ଉଗ୍ରରୂପ ନେବା ସହ ଦୁଇ ପକ୍ଷ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏଥିରେ ଉଭୟ ପକ୍ଷର ସୈନ୍ୟମାନେ ମୃତାହତ ହୋଇଛନ୍ତି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଛି। ଯଦି ଉଚ୍ଚସ୍ତରରେ ଚାଲିଥିବା ରାଜିନାମାକୁ ଚୀନ୍ ପକ୍ଷ ସମ୍ମାନ ଦେଇଥାନ୍ତା ତେବେ ଏଭଳି ସ୍ଥିତି ଉପୁଜି ନ ଥାନ୍ତା ବୋଲି ମନ୍ତ୍ରାଳୟ କହିଛି।
ଏଥିସହିତ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଭାରତ ସର୍ବଦା LACର ଭାରତୀୟ ପଟରେ ନିଜର କାର୍ଯ୍ୟକଳାପ ଚଳାଇ ଆସିଛି। ଚୀନ୍ ମଧ୍ୟ ତାଙ୍କ ପକ୍ଷରେ ଏହା କରୁ ବୋଲି ଆମେ ଚାହୁଁ। ଭାରତ ସବୁବେଳେ ସୀମାରେ ଶାନ୍ତି ଓ ସୌହାର୍ଦ୍ଦ ବଜାୟ ରଖିବା ସହ ଆଲୋଚନା ଜରିଆରେ ମତଭେଦର ସମାଧାନ କରିବା ଉପରେ ଗୁରୁତ୍ୱ ଦେଇ ଆସୁଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ରିପୋର୍ଟ- ସନ୍ତୋଷ ସାହୁ