ଶାହରୁଖ୍ ଖାନଙ୍କୁ ୫ କୋଟିରେ କିଣିଲେ ପ୍ରୀତି ଜିଣ୍ଟା !

ଚେନ୍ନାଇ ( ୧୮ /୦୨,ପିପିଏଲ୍ ନ୍ୟୁଜ୍) : ଆଇପିଏଲରେ ଦେଖିବାକୁ ମିଳିବ ଶାହରୁଖ୍ ଖାନଙ୍କ ଜଲୱା। ତେବେ ଏ ଶାହରୁଖ୍ ଖାନ୍ ବଲିଉଡ୍ ଅଭିନେତା ନୁହଁନ୍ତି । ଇଏ ହେଉଛନ୍ତି ତାମିଲନାଡୁର ଯୁବ ବ୍ୟାଟ୍ସମ୍ୟାନ୍। ଯାହାଙ୍କୁ ପ୍ରୀତି ଜିଣ୍ଟାଙ୍କ ମାଲିକାନାସତ୍ତ୍ୱ ପଞ୍ଜାବ କିଙ୍ଗସ୍ ୫.୨୫ କୋଟି ଟଙ୍କାରେ କିଣିଛି। ଚଳିତ ଆଇପିଏଲ୍ ଅକ୍ସନରେ ଅନକ୍ୟାପ୍‌ଡ ଶାହରୁଖଙ୍କ ବେସ୍ ପ୍ରାଇସ ମାତ୍ର ୨୦ ଲକ୍ଷ ଟଙ୍କା ଥିଲା। ଶାହରୁଖଙ୍କ ନେବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ ଆରସିବି ମଧ୍ୟ ଜୋରଦାର ଡାକ ଲାଗିଥିଲା। ତେବେ ଶାହରୁଖଙ୍କ ଦର ୩ କୋଟି ଟଙ୍କା ଟପିବା ପରେ ଦିଲ୍ଲୀ ରେସରୁ ଆଉଟ୍ ହୋଇଯାଇଥିଲା। ଯାହା ପରେ ଆରସିବି ସହ ଦୌଡ଼ରେ ସାମିଲ୍ ହୋଇଥିବା ପଞ୍ଜାବ। ପଞ୍ଜାବ ଟିମ୍ ଲଗାତର ଡାକ ଜାରି ରଖି ଶେଷରେ ୫.୨ କୋଟି ଟଙ୍କାରେ ତାଙ୍କୁ କିଣିଥିଲା।ଶାହରୁଖ୍ ୨୦୧୪ରେ ତାମିଲନାଡୁ ପକ୍ଷରୁ ଟି-୨୦ ଡେବ୍ୟୁ କରିଥିଲେ। ଏହା ପରଠାରୁ ସେ ରାଜ୍ୟ ଦଳ ପାଇଁ ୩୧ ଟି-୨୦ ମ୍ୟାଚ୍ ଖେଳି ୧୮.୩୧ ହାରରେ ୨୯୩ ରନ୍ କରିଛନ୍ତି। ତେବେ ଚଳିତ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ତାମିଲନାଡୁର ସେମିଫାଇନାଲ୍ ପଥରେ ଶାହରୁଖ ପ୍ରମୁଖ ଭୂମିକା ବହନ କରିଥିଲେ। ତେବେ ଗତବର୍ଷ ତାଙ୍କୁ ଅକ୍ସନରେ ଅଣଦେଖା କରାଯାଇଥିଲା। ଏଥିରେ ନିରାଶ ହୋଇଥିଲେ ଶାହରୁଖ୍। ଏଥର ଶାହରୁଖଙ୍କୁ ପଞ୍ଜାବ ମୋଟା ଦାମରେ କିଣି ସମସ୍ତଙ୍କୁ ଚକିତ କରିଦେଇଛି।

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *