ଅର୍ଚ୍ଚିତା ଙ୍କୁ ବିବାହ କଲେ ‘ପାଗଳ ପ୍ରେମୀ’

ଭୁବନେଶ୍ବର ( ୦୧/୦୩, ପିପିଏଲ୍ ନ୍ୟୁଜ୍) : ଯାହାର ପାଉଁଜି ପାଇଁ ଦିନେ ସେ ପାଗଳ ହୋଇଥିଲେ । ଯିଏ ତାଙ୍କୁ ଦିନେ ଲକ୍ଷେ ଫଗୁଣ ଆଣି ଦେଇଥିଲେ । ଯାହା ପାଇଁ ତାଙ୍କୁ ପ୍ରେମଜ୍ବର ହୋଇଥିଲା । ଯାହା ପାଇଁ ଦିନେ ତାଙ୍କ ଛାତି ତଳେ ଡିଙ୍ଗ୍ ଡିଙ୍ଗ୍ ବାଜିଥିଲା । ଯାହା ପାଇଁ ସେ ଦିନେ ବିଗିଡ଼ିଯାଇଥିଲେ, ଆଜି ସେହି ଅର୍ଚ୍ଚିତାଙ୍କ ସୁଖଦୁଃଖ ଆପଣେଇ ସ୍ଥିନ୍ଥିରେ ସିନ୍ଦୂର ବୋଳି ଦେଇଛନ୍ତି ସପନର ସୌଦାଗର ସବ୍ୟସାଚୀ ମିଶ୍ର ।

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡ୍‌ର ଚର୍ଚ୍ଚିତ ଯୋଡି ସୁପରଷ୍ଟାର ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ଅଭିନେତ୍ରୀ ଅର୍ଚ୍ଚିତା ସାହୁ । ରାଜସ୍ଥାନରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇଛି । ଉଭୟ ସବ୍ୟସାଚୀ ଏବଂ ଅର୍ଚ୍ଚିତା ତାଙ୍କ ସୋସିଆଲ ମିଡିଆ ପେଜ୍‌ରେ କିଛି ଫଟୋ ସେୟାର କରିଥିବା ଦେଖିବାକୁ ମିଳିଛି । ସବ୍ୟସାଚୀ ଲେଖିଛନ୍ତି, ‘ଆଜିଠାରୁ ତମର ସବୁ ସୁଖ, ଦୁଃଖ, ଭଲ, ମନ୍ଦ ମୋର ।’ଅନେକ ଦିନ ଧରି ସବ୍ୟ-ଅର୍ଚ୍ଚିତାଙ୍କ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା । ଦୁହିଁଙ୍କ ଭିତରେ ବନ୍ଧୁତା ଏବଂ ପରେ ପ୍ରେମ ଆଉ ବିବାହ ବନ୍ଧନରେ ଉଭୟ ଆବଦ୍ଧ ହୋଇଛନ୍ତି । ବିବାହ ପରେ ଉଭୟଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ମଧ୍ୟ ମିଳୁଛି ।ଅଭିନେତା ସବ୍ୟସାଚୀ ୨୦୦୭ରୁ ‘ପାଗଳପ୍ରେମୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍‌ରେ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ରେ ‘ଓ ମାଇଁ ଲଭ୍‌’ରେ ପ୍ରଥମଥର ଅଭିନୟ କରିବାର ସୁଯୋଗ ପାଇଥିଲେ । ସବ୍ୟସାଚୀ ଏଯାବତ୍ ୩୭ର ଊର୍ଦ୍ଧ୍ୱ ସିନେମାରେ ଏବଂ ଅର୍ଚ୍ଚିତା ୪୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ଦୁହିଁଙ୍କ ମଧ୍ୟରେ ‘ସପନର ସୌଦାଗର’ ଚଳଚ୍ଚିତ୍ରରୁ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହା ୨୦୦୮ରେ ମୁକ୍ତିଲାଭ କରିବା ପରେ ଏହି ଯୋଡ଼ିକୁ ଦର୍ଶକ ଅଧିକ ପସନ୍ଦ କରିବାକୁ ଲାଗିଥିଲେ ।କରୋନା ସମୟରେ ସବ୍ୟଙ୍କ ଅବଦାନକୁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ମଧ୍ୟ ବେଶ୍‌ ପ୍ରଶଂସା ମିଳିଛି । ଏବେ ଏହି ଯୋଡ଼ି ରାଜସ୍ଥାନରୁ ଫେରିବା ପରେ ଏଠାରେ ଅତିଥିମାନଙ୍କୁ ନେଇ ଭୋଜିର ଆୟୋଜନ କରାଯିବ ବୋଲି ସେମାନଙ୍କ ପରିବାର ପକ୍ଷରୁ କୁହାଯାଇଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *