ଆରପାରି ରେ ହାସ୍ୟାଭିନେତା ଜିମୂତ

କଟକ(୨୨/୧୧,ପିପିଏଲ ନ୍ୟୁଜ) : ଆରପାରି ରେ ପୁଣି ଜଣେ ବରିଷ୍ଠ ହାସ୍ୟାଭିନେତା | ଗତକାଲି ବରିଷ୍ଠ ହାସ୍ୟାଭିନେତା ଜିମୂତ ପଟ୍ଟନାୟକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାୟ ୧୦ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧିନ ଅବସ୍ଥାରେ ଶନିବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଏବଂ ୨ ଝିଅ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିବା ସହିତ ଗଭୀର ଶୋକପ୍ରକାଶ କରିଛନ୍ତି । ଜିମୂତ ପଟ୍ଟନାୟକ ନିକଟରେ ସେ ‘ମହାଦେବୀ’ ଧାରାବାହିକରେ ଅଭିନୟ କରୁଥିଲେ । ‘କଥା କହୁଥିଲେ ସରିବନି’, ‘ମା’, ‘ସିନ୍ଦୂର’, ‘ଲକ୍ଷ୍ମୀ ପୁରାଣ’ ଭଳି ବହୁ ଧାରାବାହିକରେ ସେ ଚମତ୍କାର ଅଭିନୟ କରିଥିଲେ। ‘ଲକ୍ଷ୍ମୀପୁରାଣ’ରେ ନାରଦ ଚରିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଏବେ ବି ଲୋକଙ୍କ ହୃଦୟରେ ସାଇତା ହୋଇ ରହିଛି । ହାସ୍ୟ ଅଭିନେତା ଜିମୂତ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିଥିଲେ । ସେ ବନ୍ଧୁ ବିଶିଷ୍ଟ ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କର ପ୍ରତ୍ୟେକ ଧାରାବାହିକରେ ଅଭିନୟ କରିଥିଲେ । ଏକାଠି ଦୁହେଁ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ କରିବା ସହିତ ମଞ୍ଚ ନାଟକରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ । ନାଟକ ‘ସମାଧାନ’, ‘ଲଙ୍କାପୁରର କାହାଣୀ’ ଇତ୍ୟାଦି ଶତାଧିକ ନାଟକରେ ଅଭିନୟ କରିଥିଲେ । କେବଳ କମେଡି ନୁହେଁ ଅନେକ ନାଟକ ଏବଂ ଧାରାବାହିକରେ ଭଲ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ମନ ଜିଣି ନେଇଥିଲେ । ପୁଲିସ ବିଭାଗରେ ଚାକିରି କରି ଅବସର ନେବା ପରେ ବି ସେ ତାଙ୍କର ଅଭିନୟ ଜାରି ରଖିଥିଲେ । ତାଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି ।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *