ଭୁବନେଶ୍ବର (୧୮/୦୫, ପିପିଏଲ୍ ନ୍ୟୁଜ୍) : ଅଖିଳ ଭାରତ ଛାତ୍ରସଂଘ(AISF) ପକ୍ଷରୁ ରାଜ୍ୟବ୍ୟାପି ବିକ୍ଷୋଭ ଅନୁଷ୍ଠିତ ହୋଇଛି। ବିବେକ କୃଷ୍ଣାଙ୍କ ନେତୃତ୍ୱରେ ଭୁବନେଶ୍ୱରଠାରେ ପ୍ଲାକାର୍ଡ ପ୍ରଦର୍ଶନ କରାଯାଇଥିଲା। କରୋନା ମହାମାରୀରେ ଦେଶବାସୀଙ୍କ ମେରୁଦଣ୍ଡ ଭାଙ୍ଗିଛି,ଦାଦନ ଶ୍ରମିକ କାମ ନପାଇ ରାଜ୍ୟକୁ ଫେରିଛି,ହଜାର ହଜାର ମାଇଲ ରାସ୍ତା ନିଜ ପାଦରେ ଅତିକ୍ରମ କରୁଛି,କିଏ ଘରେ ପହଞ୍ଚୁଛି ତ କିଏ ବାଟରେ ଟଳିପଡୁଛି। କୃଷକର ମଧ୍ୟ ଚାଷଜମିରେ ଅଦିନିଆ ମେଘ ଓ କୁଆପଥର ମାଡ ଦାଉ ସାଜିଛି,ତା’ ଉପରେ ପୁଣି ଲକଡାଉନର ପ୍ରଭାବ ତାକୁ ଅସହାୟ କରିଦେଇଛି। ଲଘୁ ଓ ମଧ୍ୟମ ବ୍ୟବସାୟୀଙ୍କ ଅବସ୍ଥା ବି ସମାନ୍। ପାଖରେ ଅର୍ଥନାହିଁ ଦି’ ଓଳି ଦି’ ମୁଠା ଖାଇ ବଞ୍ଚିବାକୁ ଓ ପରିବାର ଚଳାଇବାକୁ। ଏଭଳି ସ୍ଥଳେ ସେ ପରିବାରର ପିଲାମାନେ ଶିକ୍ଷା କିଣିବାକୁ ସମର୍ଥ ହେବେ ତ? ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର। କରୋନା ମହାମାରୀ ଆଳରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ପିଲାଠାରୁ ଶିକ୍ଷା ଛଡାନେବାର ଚକ୍ରାନ୍ତ କରୁଛନ୍ତି ବୋଲି AISFର ସଭାନେତ୍ରୀ ସଙ୍ଘମିତ୍ରା ଜେନା କହିଛନ୍ତି। ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଅନ୍ଧାରରେ ରଖିଛନ୍ତି ସରକାର। ଜଣାନାହିଁ କ’ଣ ହେବ ଆଗାମୀ ଶିକ୍ଷାବର୍ଷରେ। ୨ମାସର ଲକଡାଉନ୍ ସମୟରେ ସରକାର ହୁଏତ ଆସନ୍ତା ଶିକ୍ଷାବର୍ଷର ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିପାରିଥା’ନ୍ତେ। ବାକି ରହିଥିବା ପରୀକ୍ଷା କେବେ ହେବ? ସ୍କୁଲ ଓ କଲେଜକୁ କ୍ୱାରେଣ୍ଟାଇନ୍ ସେଣ୍ଟର କରାଯାଇଛି। କେବେଠୁ ସ୍କୁଲ୍ କଲେଜ୍ ଖୋଲିବ? ଏପରି ଅନେକ ପ୍ରଶ୍ନର ଅନ୍ଧକାର ଭିତରେ ଛାତ୍ରଛାତ୍ରୀଙ୍କୁ ଛନ୍ଦି ଦିଆଯାଇଛି ବୋଲି ସଙ୍ଗଠନ ପକ୍ଷରୁ କୁହାଯାଇଛି। ତେଣୁ କରୋନା ପ୍ରଭାବିତ ପରିବାରର ସମସ୍ତ ଶିକ୍ଷା ଖର୍ଚ୍ଚ ସରକାର ବହନ କରନ୍ତୁ,ଆସନ୍ତା ଶିକ୍ଷା ବର୍ଷର ଏକ କାର୍ଯ୍ୟ ସୂଚୀ ତୁରନ୍ତ ପ୍ରସ୍ତୁତ କରାଯାଉ ଏବଂ ରାଜ୍ୟରେ ଖାଲି ପଡିଥିବା ଶିକ୍ଷକ ଓ ଅଧ୍ୟାପକ ପଦବୀରେ ତୁରନ୍ତ ସ୍ଥାୟୀ ନିଯୁକ୍ତ,କ୍ୟାମ୍ପସରେ ମାଗଣା ୱାଇ-ଫାଇ ସେବା,e-ପାଠାଗାର ସୁନିଶ୍ଚିତ କରିବା ଓ ସ୍କୁଲ୍ ଜରିଆରେ ଝିଅ ଓ ମହିଳାମାନଙ୍କୁ ଫ୍ରି-ସାନିଟାରୀ ନାପ୍କିନ୍ ଯୋଗାଣ ଇତ୍ୟାଦି ସୁନିଶ୍ଚିତ କରିବା ପାଇଁ AISF ପକ୍ଷରୁ ଦାବୀ କରାଯାଇଛି। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ପତ୍ର ଦିଆଯିବ ବୋଲି ମଧ୍ୟ କୁହାଯାଇଛି। ଏହି ବିକ୍ଷୋଭରେ ଭୁବନେଶ୍ୱର ୩୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇଥିଲେ
