ଗୃହ ଯୋଗାଣ କ୍ଷେତ୍ରରେ ବୈମାତୃକ ମନୋଭାବ ଦେଖାଉଛି କେନ୍ଦ୍ର: ବିଜେଡି

ଭୁବନେଶ୍ୱର ( ୧୯/୦୩,ପିପିଏଲ୍ ନ୍ୟୁଜ୍) :

ଓଡିଶା ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‍ଏୱାଇ)ରେ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ସାମାଜିକ ଅର୍ଥନୈତିକ ଜାତି ଭିତ୍ତିକ ଗଣନା (ଏସ୍‍ଇସିସି) ତାଲିକାରୁ ପକ୍କାଘର ଦେଇଥାନ୍ତି । ବର୍ତ୍ତମାନ ଏହି ଏସ୍‍ଇସିସିରେ ଥିବା ପ୍ରତୀକ୍ଷା ତାଲିକା (ୱେଟିଙ୍ଗ ଲିଷ୍ଟ) ସମ୍ପୂର୍ଣ୍ଣ ହୋଇଯାଇଛି । କିନ୍ତୁ କେନ୍ଦ୍ର ସରକାରଙ୍କ ଅବହେଳା ପାଇଁ ଓଡିଶାକୁ ଦିଆଯାଇଥିବା ୬ଲକ୍ଷ ଘରର ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ ବୋଲି ଆଜି ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଚାନ୍ଦବାଲି ବିଧାୟକ ତଥା ମୁଖପାତ୍ର ଓ ବିଜୁ ଯୁବ ଜନତାଦଳ ରାଜ୍ୟ ସଭାପତି ଡଃ.ବ୍ୟୋମକେଶ ରାୟ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ।
ଉଭୟ ନେତା ଏହି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଫନି ଦ୍ୱାରା ରାଜ୍ୟର ୧୪ଟି ଜିଲ୍ଲା ପ୍ରଭାବିତ ହୋଇଥିଲା । ସେତେବେଳେ ଗୋଟିଏ ମାସ ପାଇଁ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ୱେବପୋର୍ଟାଲ ଖୋଲା ଥିଲା । ପାଖାପାଖି ୮ଲକ୍ଷ ଘରକୁ ଆବାସ ଯୁକ୍ତ ଯୋଜନାରେ ତାଲିକାଭୁକ୍ତ କରାଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥାୟୀ ପ୍ରତୀକ୍ଷା ତାଲିକା ଅର୍ନ୍ତଭୁକ୍ତ କରାଯାଇ ନାହିଁ । ଫନି ହୋଇନଥିବା ରାଜ୍ୟର ଅନ୍ୟ ୧୬ଟି ଜିଲ୍ଲାରେ ପାଖାପାଖି ୬ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୁକ୍ତ ଯୋଜନାରେ ମଧ୍ୟ ସାମିଲ କରାଯାଇ ନାହିଁ । କିନ୍ତୁ ରାଜ୍ୟ ସରକାର ସେହି ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ ସହିତ ତାଲିକା ପ୍ରସ୍ତୁତ କରିଛନ୍ତି । ଏଭଳି ଭାବେ ମୋଟ୍‍ ୧୪ଲକ୍ଷ ଯୋଗ୍ୟ ହିତାଧିକାରୀ କେନ୍ଦ୍ର ସରକାରଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଘର ପାଇବାରୁ ବଞ୍ଚିତ ହୋଇଛନ୍ତି ।
୨୦୧୯ ମାର୍ଚ୍ଚ ୧୭ ତାରିଖରେ କେନ୍ଦ୍ର ସରକାର ତାଲିକା ପ୍ରସ୍ତୁତ ପାଇଁ ସମସ୍ତ ରାଜ୍ୟକୁ କହିଥିଲେ । କିନ୍ତୁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଥିବାରୁ ଏ ଚୟନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ନୂଆ ସ୍ଥାୟୀ ପ୍ରତୀକ୍ଷା ତାଲିକା ସଂଯୋଗ କରିବାପାଇଁ ଅନୁମତି ଦେଇ ନାହାନ୍ତି । ଏଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଚିଠି ଲେଖିବା ସତ୍ତ୍ୱେ କିଛି ସୁଫଳ ମିଳୁନାହିଁ ।
ବିଜେପି ଶାସିତ ରାଜ୍ୟ ଯଥା ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ଗୁଜୁରାଟ, ସିକିମ, ଲଦାଖ, ଦାଦ୍ରା ନଗର ହାବେଳି ଇତ୍ୟାଦି ଆବାସ ଯୁକ୍ତ ଯୋଜନାରେ ନୂତନ ହିତାଧିକାରୀଙ୍କୁ କେନ୍ଦ୍ର ସରକାର ସାମିଲ କରିସାରିଥିବାବେଳେ ଓଡିଶାକୁ କିନ୍ତୁ ବାଦ୍‍ ଦିଆଯାଇଛି । ଗ୍ରାମାଞ୍ଚଳ ଗୃହ ନିର୍ମାଣ କ୍ଷେତ୍ରରେ ୨୦୧୬-୧୭ରେ ଓଡିଶା ସମଗ୍ର ଦେଶରେ ଦ୍ୱିତୀୟ ଏବଂ ୨୦୧୭-୧୮ ରେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଓଡିଶା ପ୍ରତି ଏଭଳି ବୈମାତୃକ ମନୋଭାବକୁ ସାମ୍ବାଦିକ ସମ୍ମିଳନୀରେ ଦୃଢ ନିନ୍ଦା କରାଯାଇଛି ।
ଫନି ସମୟରେ କେନ୍ଦ୍ର ସରକାର ଓଡିଶାର ବାତ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ପକ୍କାଘର ଦେବାର ପ୍ରତିଶ୍ରୁତି ଦେଇଥିଲେ । ବିଭିନ୍ନ ସମୟରେ ଆଧାରକାର୍ଡ ଓ ଜବ୍‍ କାର୍ଡ ଭଳି ଆନୁଷଙ୍ଗିକ କାଗଜପତ୍ର ବାରମ୍ବାର ମଗାଯାଇଥିଲା ।

Leave a Reply

Your email address will not be published. Required fields are marked *