ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ ଓକିଲାତି କରୁଛି ଶାସକ ବିଜେଡି : ଲେଖାଶ୍ରୀ

ଭୁବନେଶ୍ୱର ( ୧୮/୦୧,ପିପିଏଲ୍ ନ୍ୟୁଜ୍ ) : ବିଜେଡିର ୩ ଜଣ ବିଧାୟକ ଚାଷୀଙ୍କ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରେସମିଟରେ ୩ ଜଣ ବିଧାୟକଙ୍କ ତଥ୍ୟରେ କୌଣସି ତାଳ ମେଳ ନଥିଲା । ବିଜେଡି ବିଧାୟକମାନେ ସଠିକ୍ ତଥ୍ୟ ନଜାଣି କେବଳ ରାଜ୍ୟବାସୀଙ୍କୁ ମିଥ୍ୟା କହି ଭ୍ରମିତ କରିଛନ୍ତି । ବିଜେଡି ନେତାମାନେ ଧାନ ବିଷୟରେ ନକହି ଚାଉଳ ବିଷୟରେ କହୁଛନ୍ତି । ଚାଷୀ ଧାନ ବିକ୍ରି କରେ ଆଉ ମିଲର ଚାଉଳ ବିକ୍ରି କରନ୍ତି । ଶାସକ ବିଜେଡି ଚାଷୀଙ୍କୁ ଶୋଷଣ କରି ମିଲରମାନଙ୍କ ପାଇଁ ଓକିଲାତି କରୁଛି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ରାଜ୍ୟ ବିଜେପି ପକ୍ଷରୁ ଓଡିଶାରେ ୬ଟି ବିଶାଳ ଚାଷୀ ସମାବେଶ ଏବଂ ୧୮୦୦ ମଣ୍ଡି ପରିଦର୍ଶନ କରି ଚାଷୀଙ୍କ ସମସ୍ୟାରେ ଭାଗିଦାରୀ ହୋଇଛି । କେନ୍ଦ୍ରସରକାର କୃଷକର ଉନ୍ନତି ପାଇଁ ବିଶେଷକରି ଚାଷୀର ଆୟକୁ ଦ୍ୱିଗୁଣିତ କରିବା ପାଇଁ ଅନେକ ପଦକ୍ଷେପ ନେଉଥିବା ବେଳେ ରାଜ୍ୟସରକାରଙ୍କର ଆନ୍ତରିକତାର ଅଭାବ ଏବଂ ଅସହଯୋଗ କାରଣରୁ ଓଡିଆ ଚାଷୀ କେନ୍ଦ୍ରୀୟ ଯୋଜନାରୁ ବଂଚିତ ହେଉଛି । କେନ୍ଦ୍ର ସରକାର ଧାନର ଏମଏସପି ୧୮୬୮ଟଙ୍କା ଦେଉଥିବା ସ୍ଥଳେ ମଣ୍ଡିରେ ୩କେଜିରୁ ୮କେଜି ପର୍ଯ୍ୟନ୍ତ କଟ୍‌ନି ଛଟ୍‌ନି ହେଉଥିବାରୁ ଚାଷୀ ପ୍ରକୃତମୂଲ୍ୟ ପାଇପାରୁନାହିଁ । ମଣ୍ଡି ଭିତିଭୂମୀ ପାଇଁ କେନ୍ଦ୍ର ସରକାର ଅର୍ଥର ବ୍ୟବସ୍ଥା କରିଥିବା ସ୍ଥଳେ ଅଦ୍ୟାବଧି ଓଡିଶାରେ ମଣ୍ଡି ଭିତିଭୂମି ସୁଧୁରି ନାହିଁ । ଧାନ ଅଖା ପାଇଁ କେନ୍ଦ୍ର ଟଙ୍କା ଦେଉଥିଲେ ମଧ୍ୟ ଚାଷୀଙ୍କୁ ଅଖାର ଟଙ୍କା ଦିଆଯାଉନାହିଁ । ଏବର୍ଷ ଧାନକିଣା ପାଇଁ କେନ୍ଦ୍ର ସରକାର ୧୮ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦେଉଥିଲେ ମଧ୍ୟ ଓଡିଶାରେ ଅଦ୍ୟାବଧି ଅର୍ଦ୍ଧାଧିକ ଜିଲ୍ଲାରେ ଧାନମଣ୍ଡି ଖୋଲିନାହିଁ । ଡିସେମ୍ବର ୧ ତାରିଖରୁ ସମସ୍ତ ମଣ୍ଡି ଖୋଲିବା ନେଇ ରାଜ୍ୟସରକାର ଘୋଷଣା କରିଥିଲେ । କିନ୍ତୁ ମଣ୍ଡି କେବେ ଖୋଲି ବନ୍ଦ ହୋଇଗଲା ଚାଷୀ ତାହା ଜାଣିପାରିଲେ ନାହିଁ ବୋଲି ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଆଗାମୀ ଦିନରେ ଆରଡିସି ଅଫିସ ଘେରାଓ ଥିବାରୁ ବିଜେଡି ମନରେ ଛନକା ପଶିଛି । ବିଜେଡି ଆଜି କାଠଗଡାରେ ଛିଡା ହୋଇଛି । ଟୋକନ ଅବ୍ୟବସ୍ଥା ଏବଂ କଟନି ଛଟନି ନାଁରେ ଧାନ କଟାଯାଉଛି । କଟନି ଛଟନି ନାଁ ରେ କଟାଯାଉଥିବା ଧାନର ଅର୍ଥ ବିଜେଡି ଫଣ୍ଡକୁ ଯାଉଛି । ଚାଷୀଙ୍କ ପେଟକୁ ମାରିକି ବିଜେଡି ଦଳୀୟ ସଙ୍ଗଠନ ଚଲାଉଛି । ଡିଏଲପିସିରେ ସରକାର ନିର୍ଦ୍ଧାରଣ କରିଛନ୍ତି ଯେ, ଅଣଜଳସେଚିତ ଜମିରେ ୧୩ କ୍ୱିଂଟାଲ ପ୍ରତି ଏକର ଏବଂ ଜଳସେଚିତ ଜମିରେ ୧୯ କ୍ୱିଂଟାଲ ପ୍ରତି ଏକର ଧାନ ବିକ୍ରି ହେବ । ଚଳିତ ବର୍ଷ ଧାନ ଫସଲ ଭଲ ହୋଇଥିବାରୁ ଅଣଜଳସେଚିତ ଜମିରେ ୨୦ କ୍ୱିଂଟାଲ ଏବଂ ଜଳସେଚିତ ଜମିରେ ୩୦ କ୍ୱିଂଟାଲ ଧାନ ହୋଇଛି । ରାଜ୍ୟସରକାର କାହିଁକି ଏହି ଧାନ କିଣୁନାହାଁନ୍ତି ? ରାଜ୍ୟ ସରକାର ନିଜର ଖାଦ୍ୟସୁରକ୍ଷା ଯୋଜନାରେ କେତେ କ୍ୱିଂଟାଲ ଧାନ କିଣିଛନ୍ତି ? ଚାଷୀର ବଳକା ଧାନକୁ ଅନ୍ୟାନ୍ୟ ରାଜ୍ୟ ସରକାର କିଣୁଥିବାବେଳେ ଓଡିଶା ସରକାର ବଳକା ଧାନ କିଣୁନାହାଁନ୍ତି କାହିଁକି ବୋଲି ଡ.ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ବିଜେଡି ବିଧାୟକମାନେ ତୃତୀୟ ମହଲାର ଚିରକୁଟ ପଢି ବିଜେଡି ଓଡିଶାବାସୀଙ୍କୁ ଭ୍ରମିତ କରିପାରିବ ନାହିଁ । ବିଜେପି ରାଜ୍ୟର ସମସ୍ତ ଚାଷୀ ପରିବାରକୁ ଯାଇ ଭେଟିବା ସହ ରାଜ୍ୟସରକାରଙ୍କ ଚାଷୀମାରଣ ନୀତି ସଂପର୍କରେ ଅବଗତ କରାଇବ । ଚାଷୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ରାଜ୍ୟସରକାର ସମସ୍ତ ଜିଲ୍ଲାରେ ମଣ୍ଡି ଖୋଲି ଧାନ କିଣନ୍ତୁ ନଚେତ୍ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିକ୍ଷୋଭ କରାଯିବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି ।

ରିପୋର୍ଟ – ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *