ଛଅ କୋଟି ଟଙ୍କାର ଗଂଜେଇ ଗଛ ନଷ୍ଟ

ବୈପାରିଗୁଡା(୨୮/୦୧,ପିପିଏଲ୍ ନ୍ୟୁଜ୍): ବୈପାରିଗୁଡା ଥାନା ଅଞ୍ଚଳରେ ଚାଷ କରାଯାଇଥିବା ଗଞ୍ଜେଇ ଗଛକୁ କାଟିବା ସହ ପୋଡ଼ି ନଷ୍ଟ କରିଦିଆଯାଇଛି। ଏହାର ଆନୁମାନିକ ମୂଲ୍ୟ ଛଅ କୋଟି ଟଙ୍କା ବୋଲି ବୈପାରିଗୁଡା ପୋଲିସ ସୂତ୍ରରୁ ପ୍ରକାଶ। ଆଜି ବୈପାରିଗୁଡା ପୋଲିସଙ୍କ ସମେତ ବୈପାରିଗୁଡା, ବୋରିଗୁମ୍ମା, ଜୟପୁର ଏବଂ କୋରାପୁଟ ଅବକାରୀ କର୍ମଚାରୀ ମିଳିତଭାବେ ଚଢ଼ାଉ କରି ଗଂଜେଇ ଗଛ ସବୁକୁ କାଟି ନିଆଁ ପୋଡ଼ି ନଷ୍ଟ କରିଛନ୍ତି। ଏଥିରେ ବୈପାରିଗୁଡା ଆଇଆଇସି ରଘୁନାଥ ମାଝୀ, ଜୟପୁର ଏସ୍.ଡି.ପି.ଓ. ଅରୂପ ଅଭିଷେକ ବେହେରା ଏବଂ ମାଜିଷ୍ଟ୍ରେଟ କ୍ଷମତାପ୍ରାପ୍ତ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ଉପସ୍ଥିତ ଥିଲେ। ବୈପାରିଗୁଡା ଥାନା ଅନ୍ତର୍ଗତ ତୋଟାପଡା,ମହୁଲପଦର, ଜି.ମାଝୀଗୁଡା ଏବଂ ଜାମଯୋଡିର ଜଂଗଲ ଭିତରେ ବେଆଇନଭାବେ ଗଂଜେଇ ଚାଷ କରାଯାଉଥିଲା। ଆଜି ସକାଳୁ ୭ଟା ବେଳେ ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଚଢ଼ାଉ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ବୈପାରିଗୁଡା ବ୍ଲକର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ଗଂଜେଇ ଚାଷ ଆରମ୍ଭ ହୋଇଯାଇଛି। ତେଣୁ ଏହି ବେଆଇନ ଗଞ୍ଜେଇ ଚାଷକୁ ରୋକିବା ପାଇଁ ପୋଲିସ ଏବଂ ଅବକାରୀ ବିଭାଗ ନିୟମିତ ଭାବେ ଚଢ଼ାଉ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି। ଏହି ଚଢ଼ାଉରେ ଜୟପୁର ଅବକାରୀ ବିଭାଗର ଇନ୍ସପେକ୍ଟର ବିମ୍ବାଧର ପଣ୍ଡାଙ୍କ ସମେତ ବୈପାରିଗୁଡା ଅବକାରୀ ସବ୍ ଇନ୍ସପେକ୍ଟର ଏସ୍ କେ ପାଉଲେ, ଏ.ଏସ୍.ଆଇ ରଶ୍ମି ନାୟକ, ଏଏସ୍ଆଇ ଜୟପୁର ଶ୍ରୀ ମାରିଣ୍ଡି, ବୈପାରିଗୁଡା ଥାନା ଏସ୍ଆଇ ଅସିତ କୁମାର ବଳବନ୍ତରାୟ, ଏସ୍ଆଇ ପି.କେ.ନିଶିକାଙ୍କ ସମେତ ସମସ୍ତ ପୋଲିସ ଏବଂ ଅବକାରୀ ବିଭାଗର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ।


ରିପୋର୍ଟ – ଏନ୍ ହରିପ୍ରସାଦ

Leave a Reply

Your email address will not be published. Required fields are marked *