ଜିତିଲେ ମିଳିବ ୱାସିଂମେସିନ : ବିଧାୟକ ପ୍ରାର୍ଥୀ ଟି.କାଥିରୱନ୍‌

ଚେନ୍ନାଇ(୨୩ /୦୩, ପିପିଏଲ୍ ନ୍ୟୁଜ୍):  ପଶ୍ଚିମବଙ୍ଗ ଓ ଆସାମ ଭଳି ତାମିଲନାଡୁରେ ମଧ୍ୟ ଜୋର ଧରିଛି ନିର୍ବାଚନ ପ୍ରଚାର। ଜନତାଙ୍କ ବିଶ୍ୱାସ ଜିତିବା ଲାଗି ପ୍ରାର୍ଥୀ ନିଜନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଏଆଇଡିଏମକେ ପ୍ରାର୍ଥୀ ଟି.କାଥିରୱନ୍‌ ସର୍ବସାଧାରଣରେ ଲୋକଙ୍କଲୁଗା କାଚିଛନ୍ତି। ତାମିଲନାଡୁ ନାଗପଟ୍ଟିନମ ବିଧାନସଭା ନିର୍ବାଚନମଣ୍ଡଳିରୁ କିଥିରୱନ୍‌ ପ୍ରାର୍ଥୀ ହୋଇଛନ୍ତି। ଏଥର ନିର୍ବାଚନରେ ସେ ଜିତିଲେ ଲୋକଙ୍କୁ ଲୁଗା ସଫା କରିବାରେ ଯେପରି ଅସୁବିଧା ନ ହୁଏ ସେଥିଲାଗି ସେ ୱାସିଂମେସିନ ବାଣ୍ଟିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି। ସେପଟେ ନିର୍ବାଚନ ମୈଦାନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ଇଣ୍ଡିଆ ମକ୍କଲ ମୁନେତ୍ର କାଚୀ ପାର୍ଟି(ଆଇଏମଏମକେ) ଏକ ରବୋଟ ମାଧ୍ୟମରେ ନିର୍ବାଚନ ପ୍ରଚାର ଚଳାଇଥିବା ଦେଖିବାକୁ ମିଳୁଛି। ଏହି ପାର୍ଟିର ନିର୍ବାଚନ ପ୍ରଚାର ଚିହ୍ନ ମଧ୍ୟ ରବୋଟ। ପାର୍ଟିର ନିର୍ବାଚନ ପ୍ରଚାରରେ ଲୋକେ ରବୋଟ  ଦେଖିବାକୁ ଭିଡ ଜମାଉଛନ୍ତି। ସେହିପରି ନୂଆକରି ରାଜନୈତିକ ଦଳ ଗଢି ନିର୍ବାଚନ ମୈଦାନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା ବଲିଉଡ ଅଭିନେତା କମଲ ହାସନ ଅଟୋ ରିକ୍ସାରେ ବୁଲି ପାର୍ଟି ଲାଗି ନିର୍ବାଚନ ପ୍ରଚାର କରିବା ଲୋକଙ୍କୁ ବେଶ ଆକର୍ଷିତ କରୁଛି। କମଲ ହାସନଙ୍କ ପାର୍ଟି ମକ୍କଲ ନିଡି ମାଇମ (ଏମଆଇଏମ) ପ୍ରତି ଜନସମର୍ଥନ ମଧ୍ୟ ଦେଖାଯାଉଛି। କମଲ ହାସନ ଯେଉଁ ସ୍ଥାନରେ ପହଞ୍ଚୁଛନ୍ତି ସେଠାରେ ଜନତାଙ୍କ ଭିଡ଼ ଜମୁଛି। ୨୩୪ ସଦସୀୟ ତାମିଲନାଡୁ ବିଧାନସଭା ଲାଗି ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ମେ ୨ ତାରିଖରେ ମତଗଣନା ପରେ ରାଜ୍ୟରେ କାହାର ସରକାର ହେବ ତାହା ଜଣାପଡିବ। ତେବେ ବିଭିନ୍ନ ଦଳର ପ୍ରାର୍ଥୀ ଭୋଟରଙ୍କୁ ନିଜ ସପକ୍ଷରେ ନେବା ଲାଗି ସବୁମନ୍ତେ ଉଦ୍ୟମ ଚଳାଇଥିବା ଦେଖାଯାଉଛି।

ରିପୋର୍ଟ – ଅଭିଜିତ ଦେବତା

Leave a Reply

Your email address will not be published. Required fields are marked *