ନିହତ ହେଲା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ !

ଭୁବନେଶ୍ୱର(୧୦/୦୭,ପିପି ଏଲ୍ ନ୍ୟୁଜ୍) : ଉତ୍ତରପ୍ରଦେଶ ପୋଲିସ ଏନକାଉଣ୍ଟରରେ ନିହତ ହେଲା ଦୁର୍ଦାନ୍ତ ଅପରାଧୀ ବିକାଶ ଦୁବେ । ପୋଲିସ ଗୁଳିରେ ବିକାଶର ମୃତ୍ୟୁ ହୋଇଥିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏନକାଉଣ୍ଟର ପରେ ବିକାଶକୁ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ ପୋଲିସର ସ୍ପେଶାଲ ଟ୍ୟାକ୍ସ ଫୋର୍ସ ବିକାଶ ଦୁବେକୁ ଉଜ୍ୱୟନରୁ କାନପୁର ଆଣୁଥିବାବେଳେ ସେ ବସିଥିବା ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇ ଓଲଟି ପଡିଥିଲା । ଏହାର ସୁଯୋଗ ନେଇ ଖସି ପଳେଇ ଯିବାକୁ ଉଦ୍ୟମ କରିବା ସହ ବନ୍ଧୁକ ଛଡାଇ ନେଇ ପୋଲିସ ଉପରକୁ ଗୁଳି କରିଥିଲା ବିକାଶ ।ତେଣୁ ଏହାର ଜବାବରେ ପୋଲିସ ବିକାଶ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ଏଥିରେ ବିକାଶ ଗୁରୁତର ଭାବେ ଆହତ ହୋଇଥିଲା । ତାକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି କରାଯାଇଥିଲା । ଆଜି ସକାଳ ପ୍ରାୟ ୭ ଟା ବେଳେ କାନପୁର ଟୋଲପ୍ଲାଜାଠାରୁ ପ୍ରାୟ ୨୫ କିଲୋମିଟର ଦୂର ବାରାଠାରେ ଦୁର୍ଘଟଣା ଘଟିଥିଲା । ଏଥିରେ ଏସଟିଏଫର ଜଣେ ସବଇନିସପେକ୍ଟର ଓ ୨ଜଣ କନେଷ୍ଟବଳ ଆହତ ହୋଇଥିବା ଜଣାପଡିଛି । ବିକାଶ ଦୁବେ କାନପୁର ୮ ପୋଲିସ କର୍ମୀଙ୍କ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଥିଲା । ତାକୁ ଧରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ଗୋଟିଏ ସପ୍ତାହ ଦିନ ରାତି ଏକ କରି ରାଜ୍ୟବ୍ୟାପି ତଲାସି ଜାରି ରଖିଥିଲା । ଶେଷରେ ଗତକାଲି ତାକୁ ମଧ୍ୟପ୍ରଦେଶ ଉଜ୍ୱୟନରୁ ଧରିଥିଲା ଏସଟିଏଫ୍ । ଆଜି ଉଜ୍ୱୟନିରୁ କାନପୁର ଅଣାଯାଉଥିଲା ଓ ଏହି ସମୟ ରେ ଏପରି ଘଟଣା ଘଟିଵା ସହ ନିହତ ହୋଇଛି ବିକାଶ ଦୁବେ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *