ନୟାଗଡ଼ର ଝିଅ ହେବେ ବଲିଉଡ୍‌ର ହିରୋଇନ୍‌

ବେଙ୍ଗାଲୁରୁ ( ୧୦/୭ , ପିପିଏଲ୍ ନ୍ୟୁଜ୍ ) : ଓଡ଼ିଆ ଝିଅ ଅପସରା ରାଣୀ । ହିନ୍ଦୀ ଚଳଚିତ୍ରରେ ମୁଖ୍ୟ ନାୟିକା ହେବେ । ବଲିଉଡ୍‌ ପ୍ରଯୋଜକ ଓ ନିର୍ଦ୍ଦେଶକ ରାମଗୋପାଳ ବର୍ମାଙ୍କ ଫିଲ୍ମ ‘ଥ୍ରୀଲର’ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ।

ଅପସରା ହେଉଛନ୍ତି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ୍‌ କଣ୍ଟିଲୋ ଗ୍ରାମର ଚନ୍ଦ୍ରଶେଖର ମହାରଣା ଓ ସନ୍ଧ୍ୟାରାଣୀଙ୍କ ସାନ ଝିଅ। ପିତା ଚନ୍ଦ୍ରଶେଖର ବାୟୁସେନା କର୍ମଚାରୀ ହୋଇଥିବାରୁ ଭାରତର ବିଭିନ୍ନ ସହରରେ କାର୍ଯ୍ୟ କରିଛନ୍ତି । ଅପସରାଙ୍କ ଜନ୍ମ ଡେରାଡୁନରେ ଓ ପାଠପଢା ସମୟ ବେଙ୍ଗାଲୁରୁ, ନୂଆଦିଲ୍ଲୀ ଓ କର୍ଣ୍ଣାଟକ ରାଜ୍ୟ ବେଲଗାଁରେ କଟିଛି ।

ସେ ପରିବାର ସହ ନୂଆଦିଲ୍ଲୀରେ ରହିବା ବେଳେ କ୍ରମାଗତ ୪ ବର୍ଷ ନୃତ୍ୟ ପାଇଁ ଶ୍ରେଷ୍ଠ ପୁରସ୍କାର ବିଜେତା ହୋଇଥିଲେ । ଦିଲ୍ଲୀରେ କଥକ ନୃତ୍ୟ ଶିକ୍ଷା ଲାଭ କରିଥିଲେ । ବେଲଗାଁ ଜି. ଆଇ.ଟି କଲେଜରୁ କମ୍ପ୍ୟୁଟର ଇଂଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି । ୨୦୧୬ ମସିହାରେ କଲେଜ ତରଫରୁ ଫ୍ୟାସନ୍‌ ପ୍ରତିଯୋଗିତାରେ ସମ୍ମାନିତ ହୋଇଥିଲେ ।

ମୁମ୍ବାଇରେ ଅନୁଷ୍ଠିତ ଅଲ୍‌ ଇଣ୍ଡିଆ ମିସ୍‌ ୟୁନଭରସିଟି ପ୍ରତିଯୋଗିତାରେ ପ୍ରଥମ ହୋଇଥିଲେ। ୨୦୧୭ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ମିସ୍‌ ବେଙ୍ଗାଲୁରୁ ପ୍ରତିଯୋଗିତାରେ ସେ ରନର୍ସ ଅପ୍‌ ହୋଇଥିଲେ। ତାଙ୍କ ଅଭିନୀତ ଏକ କ୍ଷୁଦ୍ର ସିନେମା ଦୁବାଇରେ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଅପସରା କଲେଜ ପାଠପଢା ସମୟରେ ବହୁ ଜାତୀୟ ବିଜ୍ଞାପନ ତଥା ଫ୍ୟାସନ୍‌ ସୋରେ ମଧ୍ୟ ଭାଗ ନେଇଥିଲେ। ଅପସରା ଦୁଇଟି ଦକ୍ଷିଣ ଭାରତୀୟ ଚଳଚିତ୍ରରେ ମୁଖ୍ୟ ନାୟିକା ଭାବରେ ଅଭିନୟ କରିଥିଲେ।

ଏହି ତେଲୁଗୁୁ ଚଳଚ୍ଚିତ୍ରରେ ଅଭିନୟ କରିବା ସମୟରେ ଅପସରାଙ୍କ ଭେଟ ହୋଇଥିଲା ରାମଗୋପାଳ ବର୍ମାଙ୍କ ସହ । ପ୍ରଥମ ଦେଖାରେ ରାମଗୋପାଳ ଅପସରାଙ୍କୁ ନିଜ ଚଳଚ୍ଚିତ୍ରରେ ନେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବର୍ତ୍ତମାନ ସେ ରାମଗୋପାଳ ବର୍ମାଙ୍କ ଦୁଇଟି ହିନ୍ଦୀ ସିନେମା ପାଇଁ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଅପସରାଙ୍କ ପ୍ରଥମ କ୍ଷୁଦ୍ର ଚଳଚିତ୍ର ଥ୍ରୀଲର୍‌ର ସୁଟିଂ ହାଇଦ୍ରାବାଦରେ ଆରମ୍ଭ ହୋଇଥିବା ବେଳେ ଅନ୍ୟ ସିନେମାର ନାଁ ଘୋଷଣା କରାଯାଇନାହିଁ ।

ପିତା ଚନ୍ଦ୍ରଶେଖର ମହାରଣାଙ୍କ କହିବା ଅନୁସାରେ ଅପସରା ମାତ୍ର ତିନି ବର୍ଷ ବୟସରୁ ନୃତ୍ୟ ଗୀତ ପ୍ରତି ରୁଚି ରଖିଥିଲା। ନୂଆଦିଲ୍ଲୀରେ ବାୟୁସେନା ଅଧିକାରୀଙ୍କ ଉତ୍ସବରେ ପ୍ରତିବର୍ଷ ଅପସରା ନିଜ ଭଲ ନୃତ୍ୟ ପାଇଁ ପୁରସ୍କୃତ ହେଉଥିଲା । ମାଆ ସନ୍ଧ୍ୟାରାଣୀଙ୍କ କହିବା ଅନୁସାରେ ସ୍ୱାମୀଙ୍କ କାର୍ଯ୍ୟ ବ୍ୟସ୍ତତା ହେତୁ ସେ ସର୍ବଦା ଝିଅର ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିିଆସୁଛନ୍ତି। ଝିଅ ବଲିଉଡ୍‌ରେ ସୁଯୋଗ ପାଇଥିବାରୁ ସେ ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି ।

Leave a Reply

Your email address will not be published. Required fields are marked *