ପଦ୍ମବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ଟ୍ୱିଟ କରି ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ଵର(୨୮ /୦୪,ପିପିଏଲ ନ୍ୟୁଜ) : ପଦ୍ମବିଭୂଷଣ ମନୋଜ ଦାସଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ମୋଦି ଟ୍ୱିଟ କରି କହିଛନ୍ତି ଯେ, ଶ୍ରୀ ମନୋଜ ଦାସ ଜଣେ ବିଶିଷ୍ଟ ଶିକ୍ଷାବିତ୍, ଲୋକପ୍ରିୟ ସ୍ତମ୍ଭକାର ତଥା ପ୍ରବୀଣ ଲେଖକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଉଭୟ ଇଂରାଜୀ ଓ ଓଡିଆ ସାହିତ୍ୟ ପ୍ରତି ତାଙ୍କର ବଳିଷ୍ଠ ଅବଦାନ ରହିଛି ।ଏହାସହ ମୋଦି କହିଛନ୍ତି ଯେ, ସେ ଶ୍ରୀ ଅରୋବିନ୍ଦଙ୍କ ଦର୍ଶନର ଏକ ଅଗ୍ରଣୀ ପ୍ରଦର୍ଶନକାରୀ ଥିଲେ । ତାଙ୍କ ବିୟୋଗରେ ଶୋକସନ୍ତପ ପରିବାରକୁ ସମବେଦନା ଜଣାଉଛି । ଓମ୍‌ ଶାନ୍ତି । ସୂଚନାଯୋଗ୍ୟ, ଗତକାଲି ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମରେ ବିଶିଷ୍ଠ ଲେଖକ ମନୋଜ ଦାସଙ୍କ ଦେହାନ୍ତ ହୋଇଥିଲା । ତାଙ୍କ ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳାଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କ ଅନ୍ତିମ ସଂସ୍କାରରେ ସଂସ୍କୃତି ମନ୍ତ୍ରୀ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରିବାକୁ ପୁଡୁଚେରୀ ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର । ଏହାସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପୁଡୁଚେରୀ ଉପରାଜ୍ୟପାଳଙ୍କ ସହ କଥା ହୋଇ ସ୍ୱର୍ଗତ ଦାସଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବା ପାଇଁ ଅନୁରୋଧ କରିଛନ୍ତି ।

ରିପୋର୍ଟ – ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *