ପର୍ଯ୍ୟଟକ ମାନଙ୍କ ପାଇଁ ଲୋକାର୍ପିତ ହେଲା ‘ସିଲଭର୍ ସିଟି ବୋଟ୍ କ୍ଲବ୍’

କଟକ (୧୪/୦୪,ପିପିଏଲ୍ ନ୍ୟୁଜ୍ ) :

ସିଲଭର ସିଟି ବୋଟ୍ କ୍ଲବକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ପୂର୍ବ ଓଡ଼ିଶାର ପ୍ରମୁଖ ‘ଜଳ କ୍ରୀଡ଼ା’ ହବ୍ ହେବ କଟକ
ଆଜି ପବିତ୍ର ପଣାସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଅବସରରେ କଟକସ୍ଥିତ ମାତାମଠ ଠାରେ ସିଲିଭର ସିଟି ବୋଟ୍ କ୍ଲବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏଠାରେ ବିଭିନ୍ନ ପ୍ରକାରର ଜଳ କ୍ରୀଡ଼ା(ୱାଟର ସ୍ପୋର୍ଟସ) ଓ ମନୋରଞ୍ଜନର ସୁବିଧା ଉପଳବ୍ଧ ହେବା ସହ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଏହା ଆକୃଷ୍ଟ କରିବାରେ ମଧ୍ୟ ସହାୟକ ହେବ। ମହାନଦୀରେ ହୀରାକୁଦ ପରେ କଟକରେ ଏଭଳି ଜଳକ୍ରୀଡ଼ା ସୁବିଧା ଉପଲବ୍ଧ ହୋଇଛି ଓ ପୂର୍ବ ଓଡ଼ିଶାରେ ଏହା ‘ଜଳ କ୍ରୀଡ଼ା’ର ପ୍ରମୁଖ ହବ୍ ହେବ।

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ଭର୍ଚୁଆଲ ମୋଡରେ ଏହି ସିଲିଭର ସିଟି ବୋଟ୍ କ୍ଲବକୁ ଉଦଘାଟନ କରିଛନ୍ତି। 

ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ( ଓଟିଡିସି) ଦ୍ୱାରା ପରିଚାଳିତ ଏହି ସିଲିଭର ସିଟି ବୋଟ୍ କ୍ଲବ କମ୍ପେ୍ଲକ୍ସ ପରିସରରେ ଏକ ୱାଟର ସ୍ପୋର୍ଟସ ପାର୍କ ସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଠାରେ ୱାଟର ସ୍ପୋର୍ଟସ ବ୍ୟତୀତ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଓଟିଡିସି ପକ୍ଷରୁ ଏକ ରେଷ୍ଟୁରାଣ୍ଟ ମଧ୍ୟ କାର୍ଯ୍ୟ କରିବ। ଏହି ବୋଟ୍ କ୍ଲବରେ ଜେଟ୍ ସ୍କି, ସ୍ପିଡ୍ ବୋଟ, ଡେ କ୍ରୁଜ୍ , ବାନାନା ବୋଟ୍‌, ୱାଟର ସ୍କୁଟର, ଫ୍ଲୋଟିଂ କାଫେ, କାୟକ, ସ୍କୁବା ଡ୍ରାଇଭ୍ ଓ ଅନ୍ୟାନ୍ୟ ଦୁସାହାସିକ ତଥା ମନୋରଞ୍ଜନ ଭିତ୍ତିକ ୱାଟର ସ୍ପୋର୍ଟସ ଉପଲବ୍ଧ ହେବ। ପର୍ଯ୍ୟଟକମାନେ ମହାନଦୀର ପ୍ରାକୃତିକ ମନୋରମ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଏକ ଭ୍ୟୁ ପଏଣ୍ଟ ଓ ସ୍ମୃତିକୁ ସାଇତି ରଖିବା ନିମନ୍ତେ ଏକ ସେଲଫି ଜୋନ୍ ମଧ୍ୟ ନିର୍ମାଣ ହୋଇଛି। ଘରୋଇ ସଂସ୍ଥା ସହଯୋଗରେ ଓଟିଡିସି ଏହି  ବୋଟ୍ କ୍ଲବକୁ ପରିଚାଳନା କରିବ। ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ।
ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରାଜ୍ୟସଭା ସାଂସଦ ସୁବାସ ସିଂ, ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଦେବାଶୀଷ ସାମନ୍ତରାୟ, ଓଟିଡିସି ଅଧ୍ୟକ୍ଷା ଶ୍ର୍ରୀମତୀ ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ପ୍ରମୁଖ ଉପସ୍ଥିତ ଥିଲେ। ପର୍ଯ୍ୟଟନ ନିର୍ଦ୍ଦେଶକ ତଥା ଓଟିଡିସିର ପରିଚାଳନା ନିର୍ଦ୍ଦେଶକ ସଚିନ ଆର ଯାଦବ ଏହି କାର୍ଯ୍ୟକ୍ରମର ସ୍ୱାଗତ ଭାଷଣ ଦେଇଥିବାବେଳେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ। ପର୍ଯ୍ୟଟନ ବିଭାଗ, ଓଟିଡିସି ସମେତ ଜିଲ୍ଲା ପ୍ରଶାସନର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। 
ଆଜି ପବିତ୍ର ଓଡ଼ିଆ ନୂଆବର୍ଷ ଅବସରରେ ଓଟିଡିସି ପକ୍ଷରୁ ଓଡ଼ିଶାର କଳା,ସଂସ୍କୃତି, ଐତିହ୍ୟ ଓ ପର୍ବପର୍ବାଣୀ ଉପରେ ପ୍ରସ୍ତୁତ ଏକ ଭିଡିଓକୁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ।
ସୂଚନାଯୋଗ୍ୟ, ଉତ୍କଳ ଦିବସରେ ହୀରାକୁଦ ଜଳଭଣ୍ଡାରରେ ପର୍ଯ୍ୟଟକଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ସହଯୋଗରେ ୱାଟର ସ୍ପୋର୍ଟସ ସୁବିଧା ଉପଲବ୍ଧ ହୋଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଅଧିକ ସମୃଦ୍ଧି ଓ କ୍ରିୟାଶୀଳ କରିବା ଉପରେ ଗୁରୁତ୍ୱ ଦେଉଥିବାରୁ ଓଟିଡିସି ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ରିପୋର୍ଟ – ଶୁଭ୍ରଜ୍ୟୋତି ଓ ଅମିତ

Leave a Reply

Your email address will not be published. Required fields are marked *