ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ

ସୁନ୍ଦରଗଡ଼, ୧୭ ମାର୍ଚ୍ଚ ୨୦୨୧: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର (ଡବ୍ଲ୍ୟୁଓଡିସି) ସୁନ୍ଦରଗଡ଼ ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ପରିସରରେ ବୁଧବାର ଦିନ ଡବ୍ଲ୍ୟୁଓଡିସି କାର୍ଯ୍ୟାଳୟକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ ଉଦଘାଟନ କରିଛନ୍ତି।

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧୀନରେ ଥିବା ୧୦ଟି ଜିଲ୍ଲା ଏବଂ ଗୋଟିଏ ସବଡିଭିଜନରେ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏହିସବୁ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ନିର୍ଦ୍ଧାରିତ ସମୟ ଭିତରେ ଶେଷ କରିବା ଏବଂ ଲୋକଙ୍କୁ ଏହାର ସୁବିଧା ଦେବା ପାଇଁ ଜିଲ୍ଲା ସ୍ତରରେ ଡବ୍ଲ୍ୟୁଓଡିସି କାର୍ଯ୍ୟାଳୟ ଖୋଲିବାକୁ ନିକଟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ସୁନ୍ଦରଗଡ଼ ଜିଲ୍ଲାରେ ଏହି କାର୍ଯ୍ୟାଳୟ ଖୋଲା ଯାଇଛି।

‘‘ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ କାର୍ଯ୍ୟାଳୟ ପରିସରରେ ଡବ୍ଲ୍ୟୁଓଡିସି କାର୍ଯ୍ୟାଳୟ ଏକ ସେଲ୍ ଭାବେ କାର୍ଯ୍ୟ କରୁଥିଲା। ଏବେ ଏକ ପୂର୍ଣ୍ଣ କାର୍ଯ୍ୟାଳୟ ଖୋଲିଥିବାରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଆହୁରି ଆଗକୁ ଯିବ। ଗତ ବର୍ଷେ ହେଲା ସୁନ୍ଦରଗଡ଼ ଜିଲ୍ଲା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସାମଗ୍ରିକ ସୂଚକାଙ୍କ ତାଲିକାରେ ୧ ନମ୍ବର ସ୍ଥାନରେ ରହି ଆସିଛି। ଏହି ଧାରା ବଜାୟ ରଖିବାକୁ ଆମେ ଚେଷ୍ଟା ଜାରି ରଖିବୁ’’, କହିଛନ୍ତି ଭୈରବ ସିଂ ପଟେଲ।

ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଏବଂ ପରିସଂଖ୍ୟାନ ଉପନିର୍ଦ୍ଦେଶକ ବିଜୟ କୁମାର ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ତଥା ସଂସ୍କୃତି ଅଧିକାରୀ ଅନିଲ କେରକେଟାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ୱାରା ପ୍ରସ୍ତୁତ ସାମଗ୍ରିକ ସୂଚକାଙ୍କ ତାଲିକାରେ ସୁନ୍ଦରଗଡ଼ ଜିଲ୍ଲା ୧ ନମ୍ବର ସ୍ଥାନ ହାସଲ କରି ଆସୁଛି। ୨୦୧୯ ଫେବ୍ରୁଆରି ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ସୁନ୍ଦରଗଡ଼ ଜିଲ୍ଲା ଏହି ଧାରା ବଜାୟ ରଖି ଆସିଛି। ବିଭିନ୍ନ ପ୍ରକଳ୍ପର ମୂଲ୍ୟ, ନିର୍ଦ୍ଧାରିତ ସମୟ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ବିନିଯୋଗ ପ୍ରମାଣପତ୍ର ପ୍ରଦାନ ଆଦି ଦିଗକୁ ବିଚାରକୁ ନେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଜିଲ୍ଲାଗୁଡ଼ିକ ମଧ୍ୟରେ ରାଙ୍କ ପ୍ରସ୍ତୁତ କରିଥାନ୍ତି।

ପରିଷଦ ଅଧୀନରେ ସ୍ଵାସ୍ଥ୍ୟସେବା, ପାନୀୟ ଜଳ, ଶିକ୍ଷା, ବିଦ୍ୟୁତକରଣ, କୃଷି, ରାସ୍ତା, ନିର୍ମାଣ, ଜଳସେଚନ, ଭିତ୍ତିଭୂମି ସୁଦୃଢ଼ କରିବା ସହିତ ମରୁଡ଼ି ନିରାକରଣ ଆଦି କ୍ଷେତ୍ରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି

Leave a Reply

Your email address will not be published. Required fields are marked *