ପୁରୀ ପରେ ଏବେ ଝଲସିବ ଏକାମ୍ର କ୍ଷେତ୍ର

ଭୁବନେଶ୍ୱର (୨୮/୦୮ ,ପିପିଏଲ୍ ନ୍ୟୁଜ) ନୂଆ ରୂପରେ ସଜ ହଉଛି ଏକାମ୍ରକ୍ଷେତ୍ର । ପୂର୍ବରୁ ୧୦-୧୫ ହଜାର ଶ୍ରଦ୍ଧାଳୁ ଏକାସଙ୍ଗେ ଶ୍ରୀ ଲିଙ୍ଗରାଜଙ୍କ ଶିବରାତ୍ରୀ ଦର୍ଶନ କରିବାରେ କଷ୍ଟ ହେଉଥିବା ବେଳେ ଆଗାମୀ ଦିନରେ ୨ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିର ସମ୍ମୁଖରେ ସମବେତ ହୋଇପାରିବେ । ଏନେଇ ତିଆରି ହୋଇଛି ମାଷ୍ଟର ପ୍ଲାନ । ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏକାମ୍ରକ୍ଷେତ୍ର ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି ।

ଶ୍ରୀ ଲିଙ୍ଗରାଜ ମନ୍ଦିର ସଲଗ୍ନ ୬୬ ଏକର ଜମି ଉପରେ କାର୍ଯ୍ୟକାରୀ ହେବ ଏହି ଯୋଜନା । ୨ ଲକ୍ଷ ଲୋକ ମହାପ୍ରଭୁଙ୍ଗ ଶିବରାତ୍ରୀ ଉତ୍ସବ ଦେଖିବା ସହ ମନ୍ଦିର ସହ ଜଡ଼ିତ ଅନ୍ୟ ପରମ୍ପରା ଖୁବ ସହଜରେ ଦେଖିପାରିବେ । ଏହାସହ ଲିଙ୍ଗରାଜ ମନ୍ଦିରକୁ ଶ୍ରାବଣ ମାସରେ ହଜାର ହଜାର କାଉଡ଼ିଆ ଆସନ୍ତି । ତେବେ ଏଭଳି ଭିଡ଼କୁ ପରିଚାଳନା କରିବା ସହଜ ହେବ ।

ଅନ୍ୟପଟେ ପର୍ଯ୍ୟଟକଙ୍କ ପାଇଁ କରାଯିବ ବ୍ୟାପକ ବ୍ୟବସ୍ଥା । ଓରିଏଣ୍ଟସନ୍‌ ସେଣ୍ଟର, ପାର୍କିଂ, ଫୁଡ ପ୍ଲାଜା, ଭଜନ ମଣ୍ଡପ ଆଦି ହେବାକୁ ଥିବା ବେଳେ ପରିବହନ ବ୍ୟବସ୍ଥା, ବର୍ଯ୍ୟବସ୍ତୁ ନିଷ୍କାସନ, ଗମନାଗମନ ବ୍ୟବସ୍ଥା ଆଦି ଉପରେ ବିଶେଷ ଧ୍ୟାନ ଦିଆଯିବ ।

ତେବେ ଏହି କାର୍ଯ୍ୟ ଗୋଟିଏ ବର୍ଷରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜିର ଏହି ବୈଠକରେ ମନ୍ତ୍ରୀ ଅଶୋକ ପଣ୍ଡା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ୫ଟି ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ- ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *