ପ୍ରଧାନମନ୍ତ୍ରୀ କହିଲେ ନୂଆ ରୂପରେ ଆସିବ ଲକ୍‌ଡାଉନ୍‌-୪

ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କିନ୍ତୁ ଏଥର ଲକଡାଉନ୍‌ ନୂଆ ରୂପରେ ଓ ନୂଆ ନିୟମ ସହ ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସବୁ ରାଜ୍ୟର ପରାମର୍ଶକ୍ରମେ ପଦକ୍ଷେପ ନିଆଯାଇଛି। ତାର ସବୁ ସୂଚନା ମେ ୧୮ ପୂର୍ବରୁ ଆପଣଙ୍କୁ ସୂଚିତ କରାଯିବ ବୋଲି ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ କହିଛନ୍ତି।

ଏଥିସହିତ ଦେଶର ଅର୍ଥନୀତିକୁ ବଳ ଦେବା ପାଇଁ ଏକ ବଡ଼ ଆର୍ଥିକ ପ୍ୟାକେଜ୍‌ର ଘୋଷଣା ମଧ୍ୟ କହିଛନ୍ତି। କରୋନା ସଂକଟରେ ପୂର୍ବରୁ ଯେଉଁ ସବୁ ପଦକ୍ଷେପ ନିଆଯାଇଛି। ଏସବୁ ମିଶାଇଲେ ଏହି ପ୍ୟାକେଜ୍‌ ପାଖାପାଖି ୨୦ ଲକ୍ଷ କୋଟି ହେବ। ଯାହା ଦେଶର ଜିଡିପିର ପାଖାପାଖି ୨୦ ପ୍ରତିଶତ ହେବ ବୋଲି ମୋଦି କହିଛନ୍ତି। ତେବେ ଏହି ଆର୍ଥିକ ପ୍ୟାକେଜ୍‌ କେତେ ଟଙ୍କାର ଓ କେଉଁ କେଉଁ ଦିଗରେ ହେବ ବୋଲି କୌଣସି ସୂଚନା ଦେଇ ନାହାନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତାକାଲିଠାରୁ ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଏହାର ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ମୋଦି କହିଛନ୍ତି।ଆଜି ଦେଶବାସୀଙ୍କ ସମ୍ବୋଧନ କରି ମୋଦି କହିଛନ୍ତି, ଦୀର୍ଘ ୪ ମାସ ହେଲା ବିଶ୍ୱ କରୋନା ସହିତ ଲଢ଼ୁଛି। ସାରା ବିଶ୍ୱରେ ୪୨ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି। ଭାରତରେ ମଧ୍ୟ କରୋନାରେ ଅନେକ ପ୍ରାଣ ଯାଇଛି। ସମସ୍ତଙ୍କ ପ୍ରତି ମୋର ସମ୍ବେଦନା।ଏହି ସଂକଟରେ ଆମ ସଂକଳ୍ପକୁ ଆହୁରି ମଜଭୁତ କରିବାକୁ ହେବ। ଗତ ଶତାବ୍ଦୀରୁ ହିଁ ଲଗାତାର ଆମେ ଶୁଣି ଆସିଛେ, ଏକବିଂଶ ଶତାବ୍ଦୀ ଭାରତର। ଏହା ଆମ ସ୍ୱପ୍ନ କେବଳ ନୁହେଁ, ଆମ ଦାୟିତ୍ୱ ମଧ୍ୟ। ତେଣୁ ଏଥିପାଇଁ ଗୋଟିଏ ମାର୍ଗ ହେଲା ଆତ୍ମନିର୍ଭରଶୀଳ ଭାରତ। ଆଜିର ସ୍ଥିତିରୁ ଏହା ଶିକ୍ଷା ବି ପାଇଛେ।ଏକ ରାଷ୍ଟ୍ର ରୂପରେ ଆଜି ଆମେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ଛିଡ଼ା ହୋଇଛୁ। ଏହି ବିପଦ ଭାରତ ପାଇଁ ସଂକେତ ଓ ଅବସର ନେଇ ଆସିଛି ବୋଲି ମୋଦି କହିଛନ୍ତି। ତାହା କେମିତି, ଏକ ଉଦାହରଣ ଦେଇ କହିଛନ୍ତି ମୋଦି।ସେ କହିଛନ୍ତି, ଯେବେ କରୋନା ବିପଦ ଆରମ୍ଭ ହେଲା, ତେବେ ଭାରତ ଗୋଟିଏ ବି ପିପିଇ କିଟ୍ ତିଆରି ହେଉନଥିଲା। ଏନ୍‌-୯୫ ମାସ୍କର ନାମମାତ୍ର ଉତ୍ପାଦନ ହେଉଥିଲା। ହେଲେ ଆଜି ଦୈନିକ ୨ ଲକ୍ଷ ପିପିଇ କିଟ୍‌ ଓ ୨ ଲକ୍ଷ ଏନ୍‌-୯୫ ମାସ୍କ ତିଆରି ହେଉଛି। ତେଣୁ ଏଥିରେ ଜଣାପଡ଼ିଛି ଯେ ଆମେ ବିପଦକୁ ଅବସରରେ ବଦଳେଇଦେଲେ। ଏଣୁ ଜଣାପଡ଼ୁଛି ଭାରତ ଆତ୍ମନିର୍ଭରଶୀଳ ହୋଇପାରେ।ତେବେ ଭାରତ ଆତ୍ମନିର୍ଭରଶୀଳ ହେବା ପାଇଁ ୫ଟି ଖୁଣ୍ଟର ଆବଶ୍ୟକତା ରହିଛି ବୋଲି ମୋଦି କହିଛନ୍ତି। ତାହା ହେଲା-୧.ଇକୋନୋମି- ଏକ ଏମିତି ଇକୋନୋମି ଯାହା ଇନ୍‌କ୍ରିମେଣ୍ଟାଲ୍ ଚେଞ୍ଜ୍‌ ନୁହେଁ।୨.ଇନ୍‌ଫାଷ୍ଟ୍ରକ୍‌ଚର୍‌- ଏମିତି ଇନ୍‌ଫ୍ରାଷ୍ଟ୍ରକଚର୍‌ ଯାହା ଆଧୁନିକ ଭାରତ ପରିଚୟ ହେବ।୩. ଆମ ସିଷ୍ଟମ୍‌- ଏକ ଏମିତି ସିଷ୍ଟମ୍ ଯାହା ବିତିଯାଇଥିବା ଶତାବ୍ଦୀର ନୁହେଁ, ବରଂ ଏକବିଂଶ ଶତାବ୍ଦୀର ଟେକ୍ନୋଲୋଜିଚାଳିତ ବ୍ୟବସ୍ଥା ଉପରେ ଆଧାରିତ ହୋଇଥିବ।୪. ଗଣତନ୍ତ୍ର- ଆମ ଗଣତନ୍ତ୍ର ଦୁନିଆର ସବୁଠାରୁ ଶକ୍ତିଶାଳୀ। ତେଣୁ ଏହାକୁ ଆମକ ବଳ ଦେବ।୫ ଡିମାଣ୍ଡ ବା ଚାହିଦା- ଆମ ଅର୍ଥବ୍ୟବସ୍ଥାରେ ଡିମାଣ୍ଡ ଓ ସପ୍ଲାଏ ଚେନ୍‌ର ଯେଉଁ ବଳ ଅଛି ତାକୁ ପୂରା କ୍ଷମତା ଅନୁସାରେ ବ୍ୟବହାର କରିବାକୁ ପଡ଼ିବ। ଦେଶରେ ଚାହିଦା ବଢାଇବାକୁ ଓ ତାହା ପୂରା କରିବା ପାଇଁ ଆମ ଦେଶର ସମସ୍ତ ଷ୍ଟେକ୍ ହୋଲ୍‌ଡରଙ୍କ ସଶକ୍ତ ହେବା ଜରୁରୀ ବୋଲି ମୋଦି କହିଛନ୍ତି।ତେଣୁ ଏହାକୁ ବଳ ଦେବାକୁ ଆଜି ଯେଉଁ ବିଶେଷ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରୁଛି, ତାହା ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ମୁଖ୍ୟ କଡ଼ି ଭାବରେ କାର୍ଯ୍ୟ କରିବ। ଏହା ଆତ୍ମନିର୍ଭରଶୀଳ ଭାରତର ଅଭିଯାନକୁ ଏକ ନୂଆ ଗତି ଦେବ। ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଏହି ପ୍ୟାକେଜ୍‌ରେ ଲ୍ୟାଣ୍ଡ, ଲେବର, ଲିକ୍ୟୁଡିଟି ଆଦିର ଜୋର୍ ଦିଆଯାଇଛି। ଏହା ଆମର କୁଟୀର ଉଦ୍ୟୋଗ, ଲଘୁ ଓ ମଧ୍ୟମ ଉଦ୍ୟୋଗ ଓ ଏମ୍‌ଏସ୍‌ଏମ୍‌ଇ ପାଇଁ ହୋଇଛି। ଶ୍ରମିକ ଓ ମଧ୍ୟବିତ ସମସ୍ତଙ୍କୁ ଲକ୍ଷ୍ୟ କରି ଏହି ପ୍ୟାକେଜ୍‌ ଘୋଷଣା ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କାଲିଠାରୁ ଆରମ୍ଭ କରି ଆସନ୍ତା ଦିନଗୁଡ଼ିକରେ ଅର୍ଥମନ୍ତ୍ରୀ ଦ୍ୱାରା ଏହି ଆର୍ଥିକ ପ୍ୟାକେଜ୍‌ର ସୂଚନା ଦିଆଯିବ ବୋଲି ମୋଦି କହିଛନ୍ତି।ବିଗତ ୬ ବର୍ଷରେ ଦେଶର ଯେଉଁ ପୁନର୍ଗଠନ ହୋଇଛି ତା ପାଇଁ ଆଜି ଆଜି ସଂକଟରେ ବି ଭାରତର ଅର୍ଥ ବ୍ୟବସ୍ଥା ଦୃଢ଼ ରହିଛି। ପୁନର୍ଗଠନର ଏହି ରୂପକୁ ଆହୁରି ବଢ଼ାଇବା ପାଇଁ କାମ କରିବା। ଏହା ବ୍ୟବସାୟକୁ ପ୍ରୋତ୍ସାହିତ କରିବ। ମେକ୍‌ଇଣ୍ଡିଆକୁ ସଶକ୍ତ କରିବ। ଏହା ଆତ୍ମନିର୍ଭରଶୀଳ, ଆତ୍ମବଳ ଓ ଆତ୍ମବିଶ୍ୱାସ ଦ୍ୱାରା ସମ୍ଭବ। ଆଜି ସମୟ ଚାହୁଁଛି ଗ୍ଲୋବାଲ୍‌ ସପ୍ଲାଏରେ ଭାରତ ବଡ଼ ଭୂମିକା ବହନ କରୁ। ତେଣୁ ଏଥିପାଇଁ ଆମକୁ ଆମ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଦେଶବାସୀଙ୍କୁ ସମ୍ବୋଧନ କଲାବେଳେ କହିଛନ୍ତି ମୋଦି।ତେବେ ଛୋଟ ଛୋଟ ବ୍ୟବସାୟୀଙ୍କ ପ୍ରତି ମଧ୍ୟ ଏହି ପ୍ୟାକେଜ‌ର ବିଶେଷ ଦୃଷ୍ଟ ରହିଛି। ଯାହାର ସୂଚନା ଦେଇ ମୋଦି କହିଥିଲେ, କରୋନା ସଂକଟରେ ଆମ ଗରିବ ଭାଇ ଭଉଣୀଙ୍କ ସଂଘର୍ଷ ଶକ୍ତି ଆମେ ଦେଖିଛେ। ଖାସ୍‌ କରି ଠେଲା ଦୋକାନୀ ଶ୍ରମିକମାନେ ଓ ଘରେ କାମ କରୁଥିବା ଭାଇ ଭଉଣୀମାନେ ବହୁତ କଷ୍ଟ ସହିଛନ୍ତି, ତ୍ୟାଗ କରିଛନ୍ତି। ଏବେ ଆମର କର୍ତ୍ତବ୍ୟ ତାଙ୍କୁ ଶକ୍ତିଶାଳୀ କରିବା। ତାଙ୍କ ଆର୍ଥିକ ହିତ ପାଇଁ କିଛି ପଦକ୍ଷେପ ନେବା ଆମର କାମ। ତେଣୁ ପ୍ରତ୍ୟେକ ବର୍ଗର ଲୋକଙ୍କ ପାଇଁ ଏହି ଆର୍ଥିକ ପ୍ୟାକେଜ୍‌ରେ କିଛି ମହତ୍ୱପୂର୍ଣ୍ଣ ଘୋଷଣା କରାଯିବ।କରୋନା ସଂକଟ ଆମକୁ ଲୋକାଲ୍ ମ୍ୟାନୁଫ୍ୟାକଚର୍‌, ଲୋକାଲ୍‌ ସପ୍ଲାଏ ଚେନ୍‌ର ଗୁରୁତ୍ୱ ବୁଝେଇ ଦେଇଛି। ଏହି ବିପଦରେ ଲୋକାଲମାନେ ହିଁ ଆମକୁ ବଞ୍ଚାଇ ରଖିଛନ୍ତି। ଲୋକାଲ୍‌କୁ ଆମେ ଜୀବନ ମନ୍ତ୍ର ବନାଇବାକୁ ହେବ। ବଡ଼ ବଡ଼ ବ୍ରାଣ୍ଡ୍ ବି ଦିନେ ଲୋକାଲ୍‌ ଥିଲା। କିନ୍ତୁ ପରେ ଏହା ଲୋକାଲ୍‌ରୁ ଗ୍ଲୋବାଲ୍‌ ହୋଇଗଲେ।ସେହିଭଳି ଆମକୁ ବି ସେହିପରି କରିବାକୁ ପଡ଼ିବ। ତେଣୁ ଆଜି ଠାରୁ ପ୍ରତ୍ୟେକ ଭାରତବାସୀଙ୍କୁ ନିଜ ଲୋକାଲ୍‌ ପାଇଁ ଭୋକାଲ୍ ହେବାକୁ ପଡ଼ିବ। ଲୋକାଲ୍‌ ପ୍ରଡକ୍ଟ କିଣିବା ସହିତ ତାଙ୍କର ପୂରା ପ୍ରଚାର କରିବାକୁ ପଡ଼ିବ। ଆଉ ମୋର ବିଶ୍ୱାସ ଯେ ଆମ ଦେଶବାସୀ ଏହା କରିପାରିବେ ବୋଲି ମୋଦି କହିଥିଲେ।ଖଦି ଓ ହ୍ୟାଣ୍ଡଲୁମ୍‌ର ଉଦାହରଣ ଦେଇ ସେ କହିଥିଲେ, ମୁଁ ଯେତେବେଳେ ଖଦି କିଣିବା ପାଇଁ କହିଥିଲି ଓ ହ୍ୟାଣ୍ଡଲୁମର କଥା କହିଥିଲି। ଆପଣମାନେ ତାକୁ ଏତେ ମାତ୍ରାରେ ପ୍ରୋତ୍ସାହନ ଦେଲେ ଯେ ଆଜି ବହୁତ କମ୍‌ ସମୟରେ ଖଦି ଓ ହ୍ୟାଣ୍ଡଲୁମ୍‌ ରେକର୍ଡ ସ୍ତରରେ ପହଞ୍ଚିଛି। ଆପଣମାନେ ତାକୁ ବ୍ରାଣ୍ଡ୍ ବନାଇଦେଲେ।ସବୁ ଗବେଷକ ଓ ବିଜ୍ଞାନୀ କହୁଛନ୍ତି, କରୋନା ଅନେକ ଦିନ ପର୍ଯ୍ୟନ୍ତ ଆମ ସହିତ ରହିବ। ଏସବୁ ଭିତରେ ଆମକୁ ସତର୍କତାର ସହିତ ରହିବାକୁ ପଡ଼ିବ। ଏଥିପାଇଁ ଲକ୍‌ଡାଉନ୍‌-୪ ନୂଆ ରଙ୍ଗରୂପରେ ଆସିବ। ନୂଆ ନିୟମ ରହିବ। ସବୁ ରାଜ୍ୟର ପରାମର୍ଶ ଅନୁଯାୟୀ, ପଦକ୍ଷେପ ନିଆଯିବ ତାର ସବୁ ସୂଚନା ୧୮ ମେ ପୂର୍ବରୁ ଆପଣଙ୍କୁ କୁହାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *