ସଙ୍କଟ ରେ କଂଗ୍ରେସ ସରକାର

ନୂଆଦିଲ୍ଲୀ‌(୧୧/୧୨,ପିପିଏଲ୍ ନ୍ୟୁଜ୍ ) : ପଞ୍ଚାୟତ ନିର୍ବାଚନରେ ଖରାପ ପ୍ରଦର୍ଶନ କରିବା ପରେ ଏବେ ଗେହଲଟ୍ ସରକାର ପାଇଁ ସଂକଟ ଦେଖା ଦେଇଛି । ଭାରତୀୟ ଟ୍ରାଇବାଲ ପାର୍ଟି ରାଜସ୍ଥାନ କଂଗ୍ରେସ ସରକାର ରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । କିଛିଦିନ ପୂର୍ବରୁ ରାଜସ୍ଥାନ ସରକାରକୁ ଯେତେବେଳେ ବହୁମତ ଦେଖାଇବାକୁ ପଡିଥିଲା ସେତେବେଳେ ବି.ଟି.ପିର ବିଧାୟକ ମାନେ ସରକାରକୁ ସମର୍ଥନ ଦେଇ ଗେହଲଟଙ୍କ ସରକାର ଭାଙ୍ଗିବାରୁ ତାଙ୍କୁ ରକ୍ଷା କରିଥିଲେ । କିଛିଦିନ ମଧ୍ୟରେ ରାଜସ୍ଥାନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଜେପି ଭଲ ପ୍ରଦର୍ଶନ କରିବା ସହ କଂଗ୍ରେସ ଓ ଅନ୍ୟ ଦଳ ମାନଙ୍କ ପ୍ରଦର୍ଶନ ଖରାପ ଥିଲା । ଏନେଇ ବିଟିପି ବିଧାୟକ ମାନେ ଅଭିଯୋଗ ଆଣିଥିଲେ କି ନିର୍ବାଚନରେ କଂଗ୍ରେସ ସେମାନଙ୍କୁ ସମର୍ଥନ କରିନଥିଲା । ପଞ୍ଚାୟତ ନିର୍ବାଚନରେ ୧୮୩୩ ଟି ପଂଚାୟତରେ ବିଜେପିର ବିଜୟ ହୋଇଥିବା ବେଳେ ସରକାରରେ ଥିବା କଂଗ୍ରେସ ୧୭୧୩ ଟି ପଂଚାୟତରେ ବିଜୟୀ ହୋଇଥିଲା । ଏହା ସହ ଜିଲ୍ଲାପରିଷଦ କ୍ଷେତ୍ରରେ ବିଜେପି କଂଗ୍ରେସ ଠାରୁ ବି ଅଧିକ ଆସନରେ ବିଜୟଲାଭ କରିଥିଲା | ବର୍ତମାନ ସ୍ଥିତିରେ ବିଟିପିର ୨ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ବି ସରକାର ଉପରେ ସେମିତି କିଛି ପ୍ରଭାବ ପଡିବ ବୋଲି ଆଶା କରାଯାଉ ନାହିଁ । କାରଣ କଂଗ୍ରେସ ପାଖରେ ଏବେବି ବହୁମତ ରହିଛି । ମାତ୍ର କିଛି ବିଧାନସଭା ଆସନରେ ଉପନିର୍ବାଚନ ହେବାକୁ ଥିବା ବେଳେ ଏହାର ଫଳା ଫଳ ସରକାର ଉପରେ ପ୍ରଭାବ ପକାଇ ପାରେ । ରାଜସ୍ଥାନ ବିଧାନସଭାରେ ମୋଟ ୨୦୦ ଆସନ ଥିବା ବେଳେ କଂଗ୍ରେସ ପାଖରେ ୧୧୮ ବିଧାୟକ ରହିଛନ୍ତି । ହେଲେ ସେମାନଙ୍କ ମଧ୍ୟରୁ କିଛି ସ୍ୱାଧୀନ ବିଧାୟକ ଅଛନ୍ତି । ସୂଚନା ଅନୁଯାୟୀ ପଞ୍ଚାୟତ ନିର୍ବାଚନ ଫଳା ଫଳ ଆସିବା ପରେ ନିଜେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କାହାରି ନାମ ନନେଇ କହିଥିଲେ କି ପୁଣି ଥରେ ସରକାର ଭାଙ୍ଗିବାକୁ ପ୍ରୟାସ ଆରମ୍ଭ ହୋଇଛି । ସେହିପରି ଚଳିତ ବର୍ଷ ଆରମ୍ଭରେ ରାଜସ୍ଥାନ କଂଗ୍ରେସ ଦୁଇ ଭାଗରେ ବିଭକ୍ତ ହୋଇଥିଲା| ସଚିନ ପାଇଲଟ ଅସନ୍ତୋଷ ପ୍ରକାଶ କରି ତାଙ୍କ ସମର୍ଥିତ ବିଧାୟକ ମାନଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଏହି ଡ୍ରାମା ଲମ୍ବା ସମୟ ଧରି ଚାଲିଥିଲା । ହେଲେ ଶେଷରେ ସଚିନ୍ ପାଇଲଟ ଦଳୀୟ ଶୃଙ୍ଖଳା ମାନିଥିଲେ । ହେଲେ ସେବେଠାରୁ ଆଜି ପର୍ଯ୍ୟନ୍ତ ସଚିନ୍ ପାଇଲଟଙ୍କୁ ଦଳ କୌଣସି ବଡ ପଦରେ ଅବସ୍ଥାପିତ କରିନାହିଁ । ଯାହାକୁ ନେଇ ଏବେ ବି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଭାବୁଛନ୍ତି କି ଏବେ ବି ସଚିନ ପାଇଲଟ ଗୃହଭେଦି ବିଭିଷଣ ଭାବେ କାମ କରୁଛନ୍ତି ।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *