ହରିଶଙ୍କର ପରେ ସମଲେଶ୍ୱରୀ ପୀଠରୁ ଗଡ଼ିଲା ଓଟିଡିସି ବସ୍‌

ସମ୍ବଲପୁର ( ୩୧/୦୧,ପିପିଏଲ୍ ନ୍ୟୁଜ୍) : ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପରିବହନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ଆଜିଠୁ ସମ୍ବଲପୁରର ପ୍ରସିଦ୍ଧ ମା’ ସମଲେଶ୍ୱରୀ ପୀଠରୁ ଏକ ଶୀତତାପ ନିୟନ୍ତ୍ରିତ ଟୁରିଷ୍ଟ ବସ୍ ଚଳାଚଳର ଶୁଭାରମ୍ଭ କରାଯାଇଛି। ଏହି ବସ୍ ସମ୍ବଲପୁର ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯାତାୟତ କରିବ। ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଏହି ବସ୍ ଚଳାଚଳକୁ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର କହିଛନ୍ତି ଯେ, ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକତା ଦେଇ ଏହାର ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ଭିତ୍ତିଭୂମି ବିକାଶ ସହ ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଟିଡିସି ପକ୍ଷରୁ ଆଜି ମା’ ସମଲେଶ୍ୱରୀ ପୀଠରୁ ଏକ ବସ୍ ସେବା ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ଚାହିଁଲେ ଏହି ବସକୁ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଆବଶ୍ୟକତା ଅନୁସାରେ ଚଳାଚଳ କରାଇ ପାରିବ। ଗତ କିଛିମାସ ତଳେ ପର୍ଯ୍ୟଟନସ୍ଥଳୀ ହରିଶଙ୍କରକୁ ମଧ୍ୟ ଓଟିଡିସି ପକ୍ଷରୁ ଏଭଳି ବସ୍ ସେବା ଯୋଗାଇ ଦିଆଯାଇଛି।
ଏହି ବସ୍ ସେବା ଉଦଘାଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଉତ୍ତରାଂଚଳ ଆରଡିସି ନିରଞ୍ଜନ ସାହୁ, ଜିଲ୍ଲାପାଳ ଶୁଭମ ସାକସେନା, ସମ୍ବଲପୁର ତହସିଲଦାର ଲକ୍ଷ୍ମଣ ଅମାତ୍ , ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ଅଧ୍ୟକ୍ଷ ସଞ୍ଜୟ ବାବୁ, ପର୍ଯ୍ୟଟନ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ହେମନ୍ତ ପ୍ରଧାନ, ସମ୍ବଲପୁର ପାନ୍ଥନିବାସ ମ୍ୟାନେଜର ଦେବାଶୀଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ପୂର୍ବତନ ବିଧାୟିକା ଶ୍ରୀମତୀ ପାଣିଗ୍ରାହୀ ସମ୍ବଲପୁରର ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲିବା ନିମନ୍ତେ ଏଭଳି ବସ୍ ଯୋଗାଇ ଦିଆଯାଇଥିବାରୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଥିଲେ।
ସେହିପରି ଜିଲ୍ଲାପାଳ ଶୁଭମ୍ ସାକସେନା ବସ୍ ଯୋଗାଇ ଦେଇଥିବାରୁ ଖୁସିବ୍ୟକ୍ତ କରିବା ସହ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜିଲ୍ଲାରେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ପରିବହନ କ୍ଷେତ୍ରରେ ଏହା ବେଶ୍ ସହାୟକ ହେବ ବୋଲି କହିଛନ୍ତି।
ଏହି ବସ୍ ଚଳାଚଳ ସମ୍ପର୍କରେ ଅଧିକ ସୂଚନା ଦେଇ ଅତିରିକ୍ତ ନିର୍ଦ୍ଦେଶକ ହେମନ୍ତ ପ୍ରଧାନ କହିଛନ୍ତି ଯେ,ଏହି ୨୫ସିଟ୍ ବିଶିଷ୍ଟ ଶୀତତାପ ନିୟନ୍ତ୍ରିତ ବସ୍ ପ୍ରତ୍ୟେକ ରବିବାର ସମ୍ବଲପୁରସ୍ଥିତ ପାନ୍ଥନିବାସରୁ ବାହାରି ଘଣ୍ଟେଶ୍ୱରୀ, ଦେବ୍ରିଗଡ଼, ଜିରୋ ପଏଣ୍ଟ, ହୀରାକୁଦ ଓ ମା’ ସମଲେଶ୍ୱରୀ ପୀଠ ମଧ୍ୟରେ ଚଳାଚଳ କରିବ। ବସ୍ ଭଡ଼ା ବାବଦରେ ପର୍ଯ୍ୟଟକଙ୍କୁ ମୋଟ ୨୮୦ଟଙ୍କା ଦେବାକୁ ପଡ଼ିବ। ଆଜି ପ୍ରଥମଦିନରେ ବସର ୨୨ଟି ସିଟ୍ ବୁକିଂ ହୋଇଛି। ସପ୍ତାହର ଅନ୍ୟ ଦିନଗୁଡ଼ିକରେ ଏହି ବସକୁ ‘ଚାର୍ଟର ବୁକିଂ’ ବା ସମ୍ପୂର୍ଣ୍ଣ ବୁକିଂ କରାଯାଇପାରିବ। ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଏହି ବସକୁ ଯେକେହି ସମ୍ପୂର୍ଣ୍ଣ ବୁକିଂ କରି ଭଡ଼ାରେ ନେଇପାରିବେ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ବଲାଙ୍ଗୀର ଟାଉନରୁ ହରିଶଙ୍କରକୁ ପ୍ରତି ରବିବାର ମଧ୍ୟ ଏକ ଶୀତତାପ ନିୟନ୍ତ୍ରିତ ବସ୍ ଚଳାଚଳ କରୁଛି। ଅନ୍ୟ ଦିନଗୁଡ଼ିକରେ ବସ୍‌ଟିର ‘ଚାର୍ଟର ବୁକିଂ’ କରାଯାଉଛି।

ରିପୋର୍ଟ – ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *