ଢେଙ୍କାନାଳ(୦୩/୦୯,ପିପି ଏଲ୍ ନ୍ୟୁଜ୍) : ପ୍ରାକୃତିକ ସୌନ୍ଦର୍ଯ୍ୟ ରେ ଭରପୁର ଗରିମାମୟ ହିନ୍ଦୋଳ ଏନ୍.ଏ.ସି ଗଡ଼ଜାତ ର ସୁଦୃଶ୍ୟ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ନିଘଞ୍ଚ ବନାନୀରେ ପରିପୂର୍ଣ୍ଣ ନନ୍ଦିନିଆ ଜଳାଧାର ଅଞ୍ଚଳ ଅନ୍ୟତମ । ହିନ୍ଦୋଳ ସବଡିଭିଜନ ଅନ୍ତର୍ଗତ ଅମଲାପଡା ରାୟମୁଣ୍ଡା ଗ୍ରାମ ଠାରୁ ବାମ ପାର୍ଶ୍ଵରେ ପ୍ରାୟ ୬କିମି ଦୂରରେ ଅବସ୍ଥିତ ଏହି ସ୍ଥାନଟି ଆଜି ବି ଅନେକଙ୍କ ପାଇଁ ଅପହଞ୍ଚ । କିମ୍ବଦନ୍ତୀ ଅନୁଯାୟୀ , ବହୁ ପୂର୍ବେ ହିନ୍ଦୋଳ ଗଡ଼ଜାତ ଅଞ୍ଚଳର ମହାରାଜ ଶ୍ରୀ ନନ୍ଦ ମହାଦେବ ଘୋର ବନାନୀ ମଧ୍ୟରେ ଶିକାର ଉଦ୍ଦେଶ୍ୟରେ ଯାଇଥିବା ସମୟରେ ଏକ ଗୁମ୍ଫାରେ ତପସ୍ୟାରତ ଜଣେ ସାଧୁଙ୍କୁ ସାକ୍ଷାତ କରିଥିଲେ ଯାହାର ସ୍ମାରକୀ ସ୍ୱରୂପ ସେହି ସାଧୁ ଉକ୍ତ ଗୁମ୍ଫାକୁ ମହାରାଜଙ୍କ ନାମାନୁସାରେ “ନନ୍ଦିନିଆ ଗୁମ୍ଫା” ନାମରେ ନାମିତ କରିଥିଲେ । ଲୋକମୁଖରେ ଶୁଣାଯାଏ ଯେ , ଏକଦା ଏକ ମହିଷ (ମଇଁଷି) ତୃଷାତୁର ହୋଇ ଜଳାଶୟ ଅନୁସନ୍ଧାନ ରେ ଏହି ଖୋଲ ନିକଟରେ ଖସିପଡ଼ି ଜୀବନ – ମୃତ୍ୟୁ ସହ ସଂଗ୍ରାମ କରନ୍ତେ ସ୍ଵୟଂ ମହାପ୍ରଭୁଙ୍କ କରୁଣାରୁ ଉକ୍ତ ଭୂମୁଖରୁ ଜଳାଧାରର ଉତ୍ପତ୍ତି ହୋଇଥିଲା ଏବଂ ସେହି ଜଳ ଯୋଗୁଁ ଉକ୍ତ ମହିଷଟି ଜୀବନଦାନ ପାଇଥିଲା । ସେହିଦିନଠାରୁ ଏହି ସ୍ଥାନକୁ “ନନ୍ଦିନିଆ କୁଣ୍ଡ” ନାମରେ ଜଣାଯାଏ । ସୂର୍ଯ୍ୟଙ୍କର ପହିଲିକିରଣ ସର୍ବପ୍ରଥମେ ପଡୁଥିବା ଏହି ଗୁମ୍ଫାରେ ସ୍ଵୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ବିରାଜମାନ ଏବଂ ପ୍ରତ୍ୟେକ ଚିତାଲାଗି ଅମାବାସ୍ୟା ଦିନ ଏଠାରେ ନାମ ସଂକୀର୍ତ୍ତନ ଓ ପୂଜାପାଠ ଆୟୋଜିତ ହୋଇଥାଏ । ପ୍ରକୃତି କୋଳରେ ଅବସ୍ଥିତ ସୁଦୃଶ୍ୟ ଜଳାଧାର ସମେତ ଏଠାରେ ଥିବା ଘଞ୍ଚ ଜଙ୍ଗଲ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ବଣଭୋଜି ନିମିତ୍ତ ଅନୁକୂଳ ପରିବେଶ ଯୋଗୁଁ ପ୍ରତିବର୍ଷ ଶୀତଦିନେ ବିଶେଷକରି ବଡଦିନ ଓ ନୂଆବର୍ଷରେ ଏଠାରେ ଜନସମାଗମ ଦେଖିବାକୁ ମିଳିଥାଏ । ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକ ଆସି ଗୁମ୍ଫା ସ୍ଥିତ ମହାପ୍ରଭୁଙ୍କୁ ଦର୍ଶନ କରିବା ସହିତ ସୁଉଚ୍ଚ ଜଳାଧାର ତଥା ବଣଭୋଜି ର ଆନନ୍ଦ ନିଅନ୍ତି ।
ଏତେ ସବୁ ଉପଲବ୍ଧି ସତ୍ତ୍ଵେ ଦୁର୍ଗମ ଯାତାୟତ ପଥ ଏବଂ ରକ୍ଷଣାବେକ୍ଷଣ ର ଅଭାବ ଯୋଗୁଁ ଏହା ଏବେ ମଧ୍ୟ ଲୋକଲୋଚନ ଆଢୁଆଳରେ ଅବହେଳିତ ଅବସ୍ଥାରେ ପଡ଼ିରହିଛି । ପର୍ଯ୍ୟଟନ ବିଭାଗ ଦ୍ଵାରା ପକ୍କା ସଡ଼କ , ବିଜୁଳି ବ୍ୟବସ୍ଥା ତଥା ବିଶ୍ରାମାଗାର ର ସୁବନ୍ଦୋବସ୍ତ କରାଗଲେ ନିଶ୍ଚିତ ରୂପେ ଏହା ଢ଼େଙ୍କାନାଳ ଜିଲ୍ଲାର ଏକ ସୁଉତ୍ତମ ପର୍ଯ୍ୟଟନସ୍ଥଳୀ ରୂପେ ପରିଚିତ ହୋଇପାରିବ ବୋଲି ଆଶା କରାଯାଏ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା
Good place