୫ ବର୍ଷ ବିଛଣାରେ ଦିଵ୍ୟାଙ୍ଗ ପୁଅ , ଚିକିତ୍ସା ପାଇଁ ବାଧକ ଅର୍ଥ !

ଭୁବନେଶ୍ୱର(୨୮/୦୬ , ପିପିଏଲ୍ ନ୍ୟୁଜ୍): ନିମାପଡା ବ୍ଲକ କୋଟକୁସାଙ୍ଗ ପଂଚାୟତ ବେରୁହଁଶାସନ ଗ୍ରାମରେ ଅପର୍ତି ସାହୁଙ୍କ ଏକ ମାତ୍ର ପୁଅ ହେଉଛନ୍ତି ହେମନ୍ତ ସାହୁ (୨୩) ଗତ ୫ ବର୍ଷ ତଳେ ପୁରୀରେ ଲେବର କାମ କରୁଥିବା ବେଳେ ଦୁର୍ଘଟଣା ହୋଇ ଘରେ ବିଛଣାରେ ପଡ଼ି ରହିଛନ୍ତି। ତାଙ୍କ ଚିକିତ୍ସା ପାଈଁ ଅର୍ଥ ବାଧକ ସାଜିଥିବା ଅଭିଯୋଗ ହେଉଛି। ପ୍ରକାଶ ଯେ , ହେମନ୍ତ ୧୮ ବର୍ଷ ବୟସରେ ଗତ ୨୦୧୫ ମସିହାରେ ପୁରୀ ପଳାଇ ସେଠାରେ ମିସ୍ତ୍ରୀଙ୍କ ସହ ଲେବର କାମ କରୁଥିଲେ । ସେହି ବର୍ଷ ପୁରୀ ରେ ଛାତ ପକାଇବା ପାଇଁ ସେଟ୍ରିଂ ଉପରେ ଛିଡା ହୋଇ କାମ କରୁଥିବା ବେଳେ ତାହା ତଳକୁ ଭୁଶୁଡ଼ି ଯାଇଥିଲା ଓ ହେମନ୍ତଙ୍କ ବେକର ମେରୁଦଣ୍ଡ , ଗୋଡ ଓ ହାତରେ ହାଡ ଭାଙ୍ଗି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା। ତାଙ୍କୁ ଚିକତ୍ସା ପାଇଁ ଭୁବନେଶ୍ୱର ଠାରେ ଥିବା ଏକ ଘରୋଇ ଚିକତ୍ସା କେନ୍ଦ୍ରରେ ଭର୍ତି କରଯାଇଥିଲା। ବାପା ଅପର୍ତି ନିଜର ଚାଷଜମି ବିକ୍ରି କରିବା ସହିତ ଧାର କରଜ କରି ପୁଅର ଚିକତ୍ସା ପାଇଁ ୫ ଲକ୍ଷରୁ ଉର୍ଧ୍ଵ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ପୁଅ ବଞ୍ଚିଗଲେ ।ହେଲେ ସେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ପାରିନଥିଲେ । ପୁଅର ଅଧିକ ଚିକତ୍ସା ପାଇଁ ଅର୍ଥ ଅଭାବ ହେବାରୁ ପୁଅକୁ ଚିକତ୍ସା ଅଧାରୁ ଘରକୁ ନେଇ ଆସିଥିଲେ ଅପର୍ତି। ହେମନ୍ତ କେବଳ କଥା କହୁଥିବା ବେଳେ ତାଙ୍କର ହାତ ଗୋଡ କିଛି କାମ କରୁନି । ସେ ଗୋଟିଏ ଘରେ ବିଛଣାରେ ପଡ଼ି ରହିଛନ୍ତି। ମା ସୁଲୋଚନା ୫ ବର୍ଷ ହେବ ରୋଗିଣା ପୁଅର ଝାଡା , ପରିସ୍ରା ସଫା , ଗାଧେଇବା ଠାରୁ ଆରମ୍ଭ କରି ଖୁଆଇଦେବ ପର୍ଯ୍ୟନ୍ତ କାର୍ଯ୍ୟ କରି ଆସୁଛନ୍ତି । ମଝିରେ ମଝିରେ ପୁଅକୁ ହୁଇଲ ଚେୟାରରେ ବସାଇ ବାପା ଓ ମା ଦୁହେଁ ଯାହା ଘର ଭିତରେ ବୁଲାଇଥାନ୍ତି। ହେମନ୍ତଙ୍କୁ ୬ମାସ ହେବା ଭିନ୍ନକ୍ଷମ ଭତ୍ତା ମାସିକ ୭ ଶହ ଟଙ୍କା ଯାହା ମିଳୁଛି। ପ୍ରତି ମାସରେ ଔଷଧ ଖର୍ଚ୍ଚ ପାଇଁ ୫ ହଜାରରୂ ଅଧିକ ଟଙ୍କା ତାଙ୍କ ପାଇଁ ଆବଶ୍ୟକ ହେଉଥିଲେ ବି ସବୁ ମାସରେ ଏତେ ଟଙ୍କା ଯୋଗାଡ଼ ହୋଇ ପାରୁନଥିବାରୁ ଔଷଧ କିଣିପାରୁନଥିବା ଅପର୍ତି। ଚାଷ କାମ କରି ପରିବାର ଚଳାଉଥିବା ଅପର୍ତି ବୟସାଧିକ କାରଣରୁ ଆଉ ଆଗଭଳି କାମଧନ୍ଧା କରିପାରିନାହାନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚିକତ୍ସା କଲେ ସୁସ୍ଥ ହୋଇ ପୂର୍ବଭଳି ଚଲା ବୁଲା କରିପାରିବେ ବୋଲି ଡ଼ାକ୍ତର କହୁଥିବା ହେମନ୍ତ କହୁଛନ୍ତି । ପ୍ରଶାସନ ଏଵଂ କେହି ସହୃଦୟ ବ୍ୟକ୍ତି ହେମନ୍ତଙ୍କ ଚିକତ୍ସା ପାଇଁ ଆର୍ଥିକ ସହାୟତାରେ ହାତ ବଢ଼େଇବାକୁ ଚାହାନ୍ତି ତେବେ ତାଙ୍କ ମୋ- ୬୩୭୧୯୯୧୨୦୯ ରେ ଯୋଗା ଯୋଗ କରିବା ପାଇଁ ହେମନ୍ତ ଆକୁଳ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *