ଭୁବନେଶ୍ୱର(୫/୧୦/୨୦୨୦ ପିପିଏଲ ନ୍ୟୁଜ) : ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଫେରିଯିବାର ସମୟ ଆସିଯାଇଥିଲେ ମଧ୍ୟ ଏବେ ଓଡ଼ିଶାରେ ପାଣିପାଗର ପରିବର୍ତ୍ତନ ସହିତ ବଙ୍ଗୋପସାଗରରେ ଘନ ଘନ ଲଘୁଚାପ ଯୋଗୁଁ ମୌସୁମି ସକ୍ରିୟ ରହିଛି। ଯାହାଫଳରେ ରାଜ୍ୟରେ ବର୍ଷା ଲାଗିରହିଛି। ଏଥିଯୋଗୁଁ ଚଳିତ ବର୍ଷ ରାଜ୍ୟରୁ ମୌସୁମି ଫେରିବାରେ ବିଳମ୍ବ ହେବ ବୋଲି ପାଣିପାଗ ବିଜ୍ଞାନୀ ଆକଳନ କରିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ପ୍ରଭାବରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଥିବାବେଳେ ସପ୍ତାହକ ଭିତରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ ଆସନ୍ତା ୯ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ଉତ୍ତର ପଶ୍ଚିମରେ ମୁହାଁଇ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳକୁ ଗତି କରିବ। ଲଘୁଚାପ ସୃଷ୍ଟି ହେବାର ୨ରୁ ୩ ଦିନ ଭିତରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୧୧ରୁ ୧୩ ମଧ୍ୟରେ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରିପୋର୍ଟ: ସୌମ୍ୟା